ସ୍ବାଭାବିକ ହୋଇନି ଟ୍ରେନ୍ ଚଳାଚଳ: ବାତିଲ ଟ୍ରେନ ଛାଡ଼ି ଗଡିବ ଅନ୍ୟ ଟ୍ରେନ

କଟକ : ଆରମ୍ଭ ହେଲା ଟ୍ରେନ୍ ଚଳାଚଳ । କିନ୍ତୁ ସ୍ବାଭାବିକ ହୋଇନି । ବାତ୍ୟା ଦାନା ପାଇଁ ୩୦୦ ଟ୍ରେନ ବାତିଲ କରିଥିଲା ପୂର୍ବତଟ ରେଳବାଇ । ବାତିଲ ହୋଇଥିବା ଟ୍ରେନ ବ୍ୟତୀତ ଅନ୍ୟ ଟ୍ରେନ ନିର୍ଦ୍ଧାରିତ ସମୟ ଅନୁସାରେ ଚାଲିବ । ବିଶାଖାପାଟଣା ପଟୁ ଭୁବନେଶ୍ବର ଓ ହାୱଡ଼ା ଆଡ଼କୁ ଆସୁଥିବା ଡାଉନ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । ଅପରାହ୍ଣ ପ୍ରାୟ ୨ଟା ସମୟରେ ଖଡ଼ଗପୁର ପଟୁ ଆସୁଥିବା ଅପ୍ ଟ୍ରେନ ଭଦ୍ରକରେ ପହଞ୍ଚିବ।

ପ୍ରଥମେ ଆସିବ ହାୱଡ଼ା-ବାଙ୍ଗାଲୋର ଦୂରନ୍ତ ଏକ୍ସପ୍ରେସ । ସେହିପରି ବାତିଲ ହୋଇଥିବା ଟ୍ରେନକୁ ଛାଡ଼ି ମଧ୍ୟାହ୍ନ ୧୨ଟା ପରେ ଗଡ଼ିବ ଭୁବନେଶ୍ବର ଓ ପୁରୀରୁ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବସ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଫଳରେ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ହନ୍ତସନ୍ତ ହେଇଉଛନ୍ତି ଯାତ୍ରୀ ।

ଗତକାଲି ମଝିରାତିରେ ମାଡ଼ ହୋଇଥିଲା ବାତ୍ୟା ଦାନା । ଭିତରକନିକା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ । ରାତି ୧୨ଟା ୫ରୁ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ରାତି ପ୍ରାୟ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ବାତ୍ୟା ଦାନା ହବାଳିଖଟି ନେଚରକ୍ୟାମ୍ପ ନିକଟରେ ଅତିକ୍ରମ କରିଥିଲା ସ୍ଥଳଭାଗ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିମି ବେଗରେ ବହିଥିଲା ପବନ । ଫଳରେ ଟଳିପଡ଼ିଥିଲା ଅନେକ ଗଛ । ଭାଙ୍ଗି ଯାଇଥିଲା ଚାଳ ଛପର ଘର। ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଏହା ଧାମରାଠାରୁ ଉତ୍ତରକୁ ୧୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।

You might also like