ରାଜ୍ୟରେ ବଢୁଛି ମଦ୍ୟପ ଗାଡ଼ି ଚାଳକଙ୍କ ସଂଖ୍ୟା, ତିନି ବର୍ଷରେ ଘଟିଲାଣି ୨୧୨୭ଟି ଦୁର୍ଘଟଣା

ଭୁବନେଶ୍ୱର : ବିଧାନସଭାରେ ଉଠିଲା ମଦ୍ୟପ ଗାଡ଼ି ଚାଳକଙ୍କ ସଂଖ୍ୟା । ରାଜ୍ୟରେ କେଉଁ ବର୍ଷ କେତେ ଦୁର୍ଘଟଣା ଘଟିଛି ଏବଂ କେଉଁ ବର୍ଷ କେତେ ଲୋକ ମୃତାହତ ହୋଇଛନ୍ତି ସେ ବାବଦରେ ପ୍ରଶ୍ନ କରିଥିଲେ ବିଧାୟକ ଟଙ୍କଧର ତ୍ରିପାଠୀ । ଖାଲି ସେତିକି ନୁହେଁ, ଦୁର୍ଘଟଣା ଯୋଗୁଁ କେତେ ସମ୍ପତ୍ତି ନଷ୍ଟ ହୋଇଛି ଓ କେତେ ମଦୁଆ ଗାଡ଼ି ଚାଳକ ଧରା ପଡ଼ିଛନ୍ତି ? ସେମାନଙ୍କ ବିରୋଧରେ କଣ ପଦକ୍ଷେପ ନିଆଯାଉଛି ତାହାକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ଝାରସୁଗୁଡ଼ା ବିଧାୟକ । ଗୃହରେ ଏହି ପ୍ରଶ୍ନ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ଅପରାଧ ଶାଖାରୁ ସଂଗୃହୀତ ତଥ୍ୟ ମୁତାବକ ୨୦୨୦ରୁ ୨୦୨୩ ବିଗତ ତିନି ବର୍ଷରେ ମଦ୍ୟପାନ ଯୋଗୁଁ ଘଟିଲାଣି ୨୧୯୭ଟି ଦୁର୍ଘଟଣା । ଚେକିଂ ବେଳେ ୨୨ ହଜାର ୬୭୨ ମଦ୍ୟପ ଗାଡ଼ି ଚାଳକ ଧରା ପଡିଥିବା ବେଳେ ୧୧ ହଜାର ୩୭୭ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି । ସେହଭଳି ଗତ ୫ ବର୍ଷରେ ୫୬ ହଜାର ୮୩୧ଟି ସଡ଼କ ଦୁର୍ଘଟଣାରେ ୨୭ ହଜାର ୧୬୭ଟି ଜୀବନ ଯାଇଛି ଏବଂ ୫୦ ହଜାର ୪୧ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଏହାକୁ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା ।

 

ଆହୁରି ପଢ଼ନ୍ତୁ : ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା, ଗୃହରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ