ଅନ୍ଧବିଶ୍ବାସ ହେଲା କାଳ: ଗୁଣିଗାରେଡ଼ି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ, ୩ ମୃତ; ୩ ଗୁରୁତର

ସୋରଡ଼ା : ଅନ୍ଧ ବିଶ୍ୱାସର ଭୟାନକ ପରିସ୍ଥିତି । ଗୁଣିଗାରେଡ଼ି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଆକ୍ରମଣରେ ୩ ମୃତ, ୩ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଖାରିପଲ୍ଲୀ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଗୁଣିଗାରେଡ଼ି ସନ୍ଦେହରେ ବାପା ଓ ପୁଅଙ୍କ ସହ ଅନ୍ୟ ଜଣଙ୍କୁ ହାଣି ହତ୍ୟା କରାଯାଇଛି । ମୃତ ବାପା ପୁଅ ହେଲେ ଖଦାଳ ବେହେରା, ରତ୍ନାକର ବେହେରା । ଅପରପକ୍ଷରେ ବାପ ପୁଅର ପାଲଟା ଆକ୍ରମଣରେ ୪ ଗ୍ରାମବାସୀ ଗୁରୁତର ହୋଇଥିବା ବେଳେ ଧରାକୋଟ ମେଡିକାଲରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ୩ ଗୁରୁତରଙ୍କୁ ବଡଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।
ତିନି ବର୍ଷ ପୂର୍ବରୁ ଗ୍ରାମବାସୀ ବାପା ପୁଅକୁ ଗୁଣି ଗାରେଡ଼ି ସନ୍ଦେହରେ ଗାଁରୁ ବାସନ୍ଦ କରିଥିଲେ । ଏନେଇ ବାପ ପୁଅ ଓ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ରହିଥିଲା । ପରେ ଏହି ତିକ୍ତତା ଭୟଙ୍କର ରୂପ ନେଇଛି । ଏପଟେ ଗାଁରେ ଉତ୍ତେଜନାକୁ ଏଡ଼ାଇବା ପାଇଁ ଘଟଣା ସ୍ଥଳରେ ବଡଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହିତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ଆସିକା sdpo ସନ୍ତୋଷ ଜେନା ଘଟଣା ଉପରେ ନଜର ରଖିଛନ୍ତି । ଗାଁର କିଛି ଲୋକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଛି ।
ଆହୁରି ପଢ଼ନ୍ତୁ : ବାଇକ୍ ସାଇଡ ମାରିବାକୁ କେନ୍ଦ୍ରକରି ଗୁଳିକାଣ୍ଡ, ଗୁରୁତର ଯୁବକ ଚିକିତ୍ସାଳୟରେ ଭର୍ତ୍ତି