ମିସ୍ ଟିନ୍ ୟୁନିଭର୍ସ-୨୦୨୪ ଟାଇଟଲ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ, ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ

ମିସ୍ ଟିନ୍ ୟୁନିଭର୍ସ-୨୦୨୪ ଟାଇଟଲ ହାତେଇବା ପରେ ଓଡ଼ିଶା ଫେରିଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ । ଦକ୍ଷିଣ ଆଫ୍ରିକାର କିମ୍ବର୍ଲିରେ ଅନୁଷ୍ଠିତ ମିସ୍‍ ଟିନ୍‍ ୟୁନିଭର୍ସ-୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ ସମଗ୍ର ବିଶ୍ୱର ସୁନ୍ଦରୀଙ୍କୁ ପଛରେ ପକାଇ ତ୍ରିଷ୍ଣା ବିଜେତା ହୋଇଛନ୍ତି  । ଏହି ସଫଳତା ହାସଲ କରି ସେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।  ତ୍ରିଷ୍ଣାଙ୍କ ସଫଳତା ପାଇଁ ମହାମହିମ ରାଜ୍ୟପାଳ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  ।

ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ ପରିବାର ଏବଂ କିଟ ବିଶ୍ୱବିଦ୍ୟାୟଳର ଛାତ୍ରଛାତ୍ରୀ ତ୍ରିଷ୍ଣାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।  ନଭେମ୍ବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏଥିରେ ସାରା ବିଶ୍ୱରୁ ପ୍ରତିଯୋଗୀ ଭାଗ ନେଇଥିଲେ । ପେରୁ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, କେନିଆ, ପର୍ତ୍ତୁଗାଲ ଏବଂ ନେଦରଲ୍ୟାଣ୍ଡର ସୁନ୍ଦରୀମାନଙ୍କୁ ପଛରେ ପକାଇ ୧୯ ବର୍ଷୀୟା ତ୍ରିଷ୍ଣା ଏହି ଟାଇଟଲ୍ ଜିତିଛନ୍ତି । ତ୍ରିଷ୍ଣା ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ଅନେକ ଦିନରୁ ପ୍ରୟାସ କରିଆସୁଥିଲେ ।  ଭିସା ସମସ୍ୟା ଯୋଗୁଁ ସେ ଗତବର୍ଷ କଲମ୍ବିଆ ଓ ଡ଼ୋମିନିକାନ୍‍ ରିପବ୍ଲିକରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରି ନଥିଲେ । ତାଙ୍କର କଠିନ ପରିଶ୍ରମ ଓ ନିଷ୍ଠା ପାଇଁ ସେ ଏହି ଅନ୍ତର୍ଜାତୀୟ ସଫଳତା ପାଇପାରିଛନ୍ତି ।

You might also like