ଆଜି ପଞ୍ଚକ ବ୍ରତର ତୃତୀୟ ଦିନ, ଶ୍ରୀମନ୍ଦିରରେ ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆଜି ପବିତ୍ର କାର୍ତ୍ତିକମାସ ପଞ୍ଚକ ବ୍ରତର ତୃତୀୟ ଦିନ । ଲୋକାରଣ୍ୟ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିରରେ ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀଜୀଉଙ୍କ ଅବକାଶ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ବିଭୂଷିତ କରାଯାଇଛି । ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଇଥାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଛି ।

ଏହି ଚୂଳରେ ସ୍ଵର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଛି । ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ଵର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଛି । ଏଥି ସହିତ ଅନ୍ୟାନ୍ୟ ସ୍ଵର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଛି । ମହାପ୍ରଭୁଙ୍କ ଏହି ମନୋରମ ବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି ଭକ୍ତ।

ସବୁ ଠାକୁରମାନଙ୍କର ମୂଖର ଉପର ପାର୍ଶ୍ଵରେ ଦୁଇଟି ଲେଖାଏଁ ଆଡ଼କାନି ଲଗାଯାଇଥାଏ । ଏହି ବେଶରେ ଘାଗଡା ମାଳି , ବରକୋଳି ମାଳି , ପଦ୍ମମାଳି,ଗିନିମାଳି, ପଦକ ମାଳି ପିନ୍ଧାଯାଏ । ଏହା ବ୍ୟତୀତ ମହାପ୍ରଭୁଙ୍କୁ ଅନ୍ୟାନ୍ୟ ଅଳଙ୍କାର ମାଳି, ଶ୍ରୀପୟର, ଶ୍ରୀହସ୍ତ ଏବଂ ଆୟୁଧ ମଧ୍ୟ ଲାଗି କରାଯାଏ। ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। ଚଳିତବର୍ଷ ତିଥିରେ କ୍ଷୟ ପଡୁଥିବାରୁ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ ।

You might also like