୫୦ ଫୁଟ ତଳକୁ ଖସି ରେଳ ଟ୍ରାକ୍ ଉପରେ ପଡିଲା ଟ୍ରକ୍, ବାଂଶପାଣି – ଜରୋଳି ରୁଟରେ ଟ୍ରେନ୍ ଚଳାଚଳ ବ୍ୟାହତ

ଯୋଡ଼ା : କେନ୍ଦୁଝର ଯୋଡ଼ା ଗୁରୁବେଡ଼ା ଛକ ନିକଟରେ ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସି ରେଳ ଟ୍ରାକ୍ ଉପରେ ପଡ଼ିଲା ଏକ ହାଇୱା ଟ୍ରକ୍ । ଦୁର୍ଘଟଣାରେ ଚାପି ହୋଇ ଫସି ରହିଥିବା ଟ୍ରକ ଡ୍ରାଇଭର ପ୍ରାୟ ଅଧଘଣ୍ଟା ପରେ ଉଦ୍ଧାର ହେଲେ । କଟରରେ କାଟି ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।

ଆହତ ଡ୍ରାଇଭର ଝାଡ଼ଖଣ୍ଡ କୋଡରମା ଅଞ୍ଚଳର ସଞ୍ଜୟ ୟାଦବ ବୋଲି ଜଣାପଡିଛି । ତାଙ୍କୁ ଯୋଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ଦୁଇଟିଯାକ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡିଛି । ସେପଟେ ଟ୍ରକଟି ରେଲୱେ ଟ୍ରାକରେ ପଡ଼ିଥିବାରୁ ବାଂଶପାଣି – ଜରୋଳି ରୁଟରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ଟ୍ରକକୁ ହଟାଇ ରେଳ ଚଳାଚଳ ସ୍ବାଭାବିକ କରିବା ପାଇଁ ଉଦ୍ୟମ ଚଳାଇଛି ରେଳ ବିଭାଗ ।