ଛାତିଥରା ଦୁର୍ଘଟଣା: ଉଠା ଦୋକାନୀଙ୍କ ଉପରେ ଚଢିଗଲା କୋଲ୍ଡ ଡ୍ରିଙ୍କ୍ସ ବୋଝେଇ ଟ୍ରକ୍

ବାଲିଗୁଡା: ଛାତିଥରା ଦୁର୍ଘଟଣା । ତାପୁଣି ଜନଗହଳିପୂର୍ଣ୍ଣ ସ୍ଥାନରେ । ଦୁର୍ଘଟଣାକୁ ନିଜ ଆଖିରେ ଦେଖିଥିବା ଲୋକଙ୍କର ଲୋମ ଟାଙ୍କୁରି ଯାଇଛି । ଏଭଳି ଦାୟିତ୍ୱହୀନତା ? କନ୍ଧମାଳ ଜିଲ୍ଲା କୋଟଗଡ଼ ମୁଖ୍ୟ ବଜାର ସ୍ଥିତ ତିନି ଛକ ଠାରେ ଘଟିଛି ଏହି ଭୟାନକ ଦୁର୍ଘଟଣା । ମୋବାଇଲରେ କଥା ହୋଇ ଦ୍ରୁତ ଗତିରେ ଡ୍ରାଇଭର ଗାଡି ଚଳାଇବା ସମୟରେ ଭାରସାମ୍ୟ ହରାଇ ଡ୍ରେନ୍ ଉପରେ ଥିବା ଉଠା ଦୋକାନୀ ଉପରେ ଚଢ଼ିଯାଇଥିଲା ଏହି କୋଲ୍ଡ ଡ୍ରିଙ୍କ୍ସ ବୋଝେଇ ଟ୍ରକ୍ ।

ତେବେ ଟ୍ରକ୍ ଟି କିପରି ଭାବେ ଦ୍ରୁତ ଗତିରେ ଆସି ଉଠା ଦୋକାନୀ ଉପରେ ମାଡି ଯାଇଥିଲା ସେହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି କି, ଦ୍ରୁତଗାମୀ ଟ୍ରକ୍ ଟି କୋଟଗଡ଼ ତିନି ଛକ ନିକଟରେ ଡ୍ରେନ୍ ଉପରେ ଥିବା ଉଠା ଦୋକାନୀ ଉପରେ ଚଢି ଯାଇଥିଲା ।

ଦୋକାନ ପାଖରେ ଠିଆ ହୋଇଥିବା ୮ଜଣଙ୍କୁ ଧକ୍କା ଦେଇ ଟ୍ରକ୍ ଟି ଦ୍ରୁତ ଗତି ରେ ଖସି ପଳେଇଥିଲା । ତେବେ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ମୋଟ ୮ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି କୋଟଗଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଇଥିଲେ । ସେମାନଙ୍କ ମଧ୍ୟରେ ଗୁରୁତର ଥିବା ୪ଜଣଙ୍କୁ ବାଲିଗୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାଇ ମୁନିଗୁଡାରୁ କୋଲ୍ଡ ଡ୍ରିଙ୍କ୍ସ ନେଇ ଭୁବନେଶ୍ୱର ଯାଉଥିବା ସମୟରେ କୋଟଗଡ଼ ମୁଖ୍ୟ ବଜାର ନିକଟରେ ଥିବା ତିନି ଛକରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା । ତେବେ ଦୁର୍ଘଟଣାରେ ଉଠା ଦୋକାନୀଙ୍କ ଠେଲା ଗାଡି ଭାଙ୍ଗି ରୁଜି ଚୁରମାର ହେବା ସହ ପାଖରେ ଥିବା ଅନ୍ୟ ଦୋକାନୀମାନଙ୍କର ବହୁ ସାମଗ୍ରୀ, ବାଇକ ଭାଙ୍ଗି ଯାଇଛି ।

ତେବେ ସୌଭାଗ୍ୟ ବଶତଃ ଉଠା ଦୋକାନ ପାଖରେ ଥିବା ବହୁ ଲୋକଙ୍କ ମୂଲ୍ୟବାନ ଜୀବନ ବଞ୍ଚିଯାଇଛି । ଦୁର୍ଘଟଣା ପରେ ଫେରାର୍ ଟ୍ରକ୍ କୁ ତୁମୁଡିବନ୍ଧ ଥାନା କାଲିସା ପଦର ନିକଟରେ ଜବତ କରିଛି ତୁମୁଡିବନ୍ଧ ପୋଲିସ୍ ।ଏଥିସହ ଟ୍ରକ୍ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ୍ ।

ଆହୁରି ପଢନ୍ତୁ: ଗାଡି ସାଇଡ ମରାକୁ ନେଇ ତୁମୁଳକାଣ୍ଡ : ବିବାହ ଶୋଭାଯାତ୍ରାରେ ଖଣ୍ଡାରେ ହାଣିଲେ ବରଯାତ୍ରୀ ଦଳ