ବନ୍ଦେ ଭାରତ ଟ୍ରେନରୁ ସନ୍ଦେହଜନକ ଭାବେ ଟିଟିଇଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୋଲିସ
ସବୁଦିନ ଭଳି ଆଜି ବି ଡ୍ୟୁଟିରେ ବାହାରିଥିଲେ ରାଜେନ୍ଦ୍ର । ଟିଟିଇ ଭାବେ ନିଜ କାମକୁ ଭଲରେ କରନ୍ତି । ଯାତ୍ରୀଙ୍କ ଟିକେଟ୍ ଯାଞ୍ଚ କରିବା ଠାରୁ ଆରମ୍ଭ କରି ଘର ତଥା ପରିବାରର କାମକୁ ବି ସୁରୁଖୁରୁରେ କରନ୍ତି । କିନ୍ତୁ ଆଜି ଯେ ତାଙ୍କର ଶେଷ ଦିନ ଥିଲା କେହି କେବେ ଭାବି ବି ନଥିଲେ । ରାଇପୁରରୁ ବନ୍ଦେ ଭାରତ ଟ୍ରେନରେ ଚଢ଼ିଲେ । ଜଣକ ପରେ ଜଣେ ଯାତ୍ରୀଙ୍କ ଠାରୁ ଟିକେଟ୍ ମାଗି ଯାଞ୍ଚ କରୁଥାନ୍ତି । କିନ୍ତୁ ହଠାତ କଣ ହେଲା କେଜାଣି ଟ୍ରେନରେ ହିଁ ପଡ଼ି ଯାଇଥିଲେ ରାଜେନ୍ଦ୍ର । ତୁରନ୍ତ ଟ୍ରେନ୍ ଭିତରେ ଯାତ୍ରୀଙ୍କ ମଧ୍ୟରେ ହୋ ହାଲ୍ଲା ହେଲା । ରାଜେନ୍ଦ୍ରଙ୍କ ସହକର୍ମୀ ବି ସେଠାରେ ପହଞ୍ଚିଲେ । କିନ୍ତୁ ଟିଟିଲାଗଡ ଷ୍ଟେସନରେ ପହଞ୍ଚିବା ପୁର୍ବରୁ ଟ୍ରେନରେ ଟିଟିଇଙ୍କ ମୃତ୍ୟୁ ହୋଇଥିଲା ।
ମୃତ୍ୟୁ ବି ଏମିତି ଆସେ । କାର୍ଯ୍ୟରତ ଥିବା ସମୟରେ ତାଙ୍କ ଜୀବନ ଯିବ କେହି କେବେ ଭାବି ବି ନଥିଲେ । ତେବେ ଟିଟିଲାଗଡ ବନ୍ଦେଭାରତ ଏକ୍ସପ୍ରେସରୁ ଆଜି କାର୍ଯ୍ୟରତ ଟିଟିଇଙ୍କ ମୃତଦେହକୁ ଉଦ୍ଧାର କରିଛି ଟିଟିଲାଗଡ ଜିଆରପି । ଟିଟିଇ ଜଣକ ହେଲେ ଛତିଶଗଡ ଅଞ୍ଚଳର ରାଜେନ୍ଦ୍ର କୁମାର ନିର୍ମଳ କର ବୋଳି ଜଣାପଡିଛି । ସେ ରାଇପୁରରୁ ବନ୍ଦେଭାରତ ଟ୍ରେନରେ ଯାତ୍ରୀଙ୍କ ଟିକେଟ ଚେକ୍ କରିବା ପାଇଁ ଚଢି ଥିଲେ । ହେଲେ ଖରିଆର ରୋଡରେ ସେ ଅସୁସ୍ଥ ଅନୁଭବ କରି ଟ୍ରେନରେ ପଡି ଯାଇଥିଲେ । ଏବଂ ଟିଟିଲାଗଡ ପହଞ୍ଚିବା ପୁର୍ବରୁ ଟ୍ରେନରେ ଟିଟିଇଙ୍କର ମୃତ୍ୟୁ ହୋଇଥିଲା । ଏନେଇ ତାଙ୍କ ସହକର୍ମଚାରୀ ଟିଟିଲାଗଡ ଜିଆରପି ପୋଲିସକୁ ଖବର ଦେଇଥିଲେ । ଟିଟିଲାଗଡରେ ଜିଆରପି ତାଙ୍କ ମୃତ୍ୟୁ ଦେହକୁ ଉଦ୍ଧାର କରିଛି । ରାଜେନ୍ଦ୍ରଙ୍କ ପରିବାରକୁ ଜଣାଇ ଦିଆଯାଇଛି । ଏପଟେ ପୋଲିସ ବି ରାଜେନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ କରୁଛି ।
ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । ମୃତ୍ୟୁ ନା ଦେଖେ ସମୟ ନା ଦେଖେ ପରିସ୍ଥିତି । ଏମିତି ହଠାତ ଆସେ ଆଉ ଲୋକଙ୍କ ପ୍ରିୟଜନଙ୍କୁ ସାଥୀରେ ନେଇ ପଳାଏ । ଏବେ ରାଜେନ୍ଦ୍ରଙ୍କ ପରିବାର ଉପରେ କଣ ବିତୁଥିବ ସେ ବିଷୟରେ ଆପଣ ନିଜେ ଅନୁମାନ କରି ପାରୁଥିବେ । କିନ୍ତୁ ରାଜେନ୍ଦ୍ରଙ୍କ ଏଭଳି ଅଚାନକ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛନ୍ତି ସମସ୍ତେ ।