ବଡ଼ ଖବର : ପୁଣି ଚାଲିବ ଟିଟିପିଏସ୍‌, ନିଯୁକ୍ତି ପାଇବେ ପ୍ରାୟ ୯ ଶହ ଠିକା କର୍ମଚାରୀ

ଅନୁଗୁଳ (କେନ୍ୟୁଜ୍‌) : ତାଳଚେର ଥର୍ମାଲ ପାଓ୍ଵାର ଷ୍ଟେସନ୍‌ ଟିଟିପିଏସ୍‌ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଆଶ୍ସସ୍ତିର ଖବର । ଟିଟିପିଏସ୍‌ ପ୍ଲାଣ୍ଟରେ କାର୍ଯ୍ୟରତ ୮୮୯ ଜଣ ଠିକା ଶ୍ରମିକଙ୍କୁ ମେ ୧୪ ତାରିଖ ଭିତରେ ନିଯୁକ୍ତି ଦିଆଯିବ ।

TTPS-2

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ତ୍ରିପାକ୍ଷିକ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ ଟିଟିପିଏସ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏହି ବୈଠକ ବସିଥିଲା। ବୈଠକରେ ପୁରୁଣା ପ୍ଲାଣ୍ଟ ଖୁବ୍‌ ଶ୍ରୀଘ ଚାଲୁ କରାଯିବା ସହ ନୂତନ ପ୍ଲାଣ୍ଟ ମଧ୍ୟ ଶୀଘ୍ର ସ୍ଥାପନ କରାଯିବ ବୋଲି ଟିଟିପିଏସ୍‌ ପକ୍ଷରୁ କୁହାଯାଇଛି । ଏହି ବୈଠକରେ ଟିଟିପିଏସ୍‌ର ଜିଜିଏମ୍‌ ଡିଏନ୍‌ ତିଓ୍ଵାରୀ, ଏଜିଏମ୍‌ ଏଚ୍‌ଆର ଚରଣଜିତ୍‌ ପ୍ରମୁଖ ଉପସ୍ଥିତ ଥିଲେ।

TTPS GFX-1

ସୂଚନା ଥାଉ କି ଟିଟିପିଏସ୍‌ ୧୯୬୮ ମସିହାରେ ଆରମ୍ଭ ହୋଇଥିଲା । ଷ୍ଟେଜ ୧ରୁ ୨୪୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଥିଲା। ପରେ ୧୯୯୫ ମସିହାରେ ଏହାକୁ ଏନ୍‌ଟିପିସିକୁ ହସ୍ତାନ୍ତର କରାଯାଇଥିଲା । ଯେଉଁଠାରୁ ରାଜ୍ଯ ସାରା ବିଦ୍ୟୁତ ସଞ୍ଚରି ଯାଉଥିଲା । ତେବେ ଗତ ମାର୍ଚ୍ଚ ୩୧ ତାରିଖ ଯାଏ ପରିବେଶ ମଞ୍ଜୁରୀ ଥିଲା । ପରେ ପ୍ଲାଣ୍ଟକୁ ସେବେ ଠାରୁ ବନ୍ଦ କରି ଦିଆଯାଇଛି ।

ଦୀର୍ଘ ୫୪ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ତାଳଚେର ଥର୍ମାଲ ପାୱାର ଷ୍ଟେସନ ରାଜ୍ଯବାସୀଙ୍କୁ କ୍ରମାଗତ ଭାବେ ବିଜୁଳି ପ୍ରଦାନ କରି ସୁନାମ ଅର୍ଜନ କରିଥିଲା । ହେଲେ ପ୍ଲାଣ୍ଟର ସମସ୍ତ ୬ଟି ୟୁନିଟକୁ ବନ୍ଦ କରିଦିଆ ଯିବାରୁ ଏଥିରୁ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି । ୪୬୦ ମେଗାୱାଟ ବିଶିଷ୍ଟ ଏହି ପାୱାର ପ୍ଲାଣ୍ଟ ବନ୍ଦ ହେବା ଦ୍ୱାରା ହଜାର ହଜାର କର୍ମଚାରୀଙ୍କ ତେଲଲୁଣର ସଂସାର ପ୍ରଭାବିତ ହୋଇଛି । ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରଭାବିତ ହୋଇଛି ୨୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଜୀବିକା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.