ରେଳ ବିଭାଗ କ୍ୟାଲେଣ୍ଡରରେ ସ୍ଥାନ ପାଇଲା ମୋଦି ଜୀଙ୍କ ସହିତ ତୁଳା ବେହେରାଙ୍କ ଭେଟର ଚିତ୍ର

ସାଧାରଣ ନିର୍ବାଚନ ସମୟରେ ଫୁଲବାଣୀ ପ୍ରଚାର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଚ ଉପରେ ବୃଦ୍ଧା ତୁଳା ବେହେରାଙ୍କ ପାଦ ଧରି ମୁଣ୍ଡିଆ ମାରିଥିଲେ । ତାଙ୍କ ମହାନତାକୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ବୃଦ୍ଧା ଏମିତି କଣ କରିଛନ୍ତି କି ପ୍ରଧାନମନ୍ତ୍ରୀ ତାଙ୍କ ପାଦ ଧରି ମୁଣ୍ଡିଆ ମାରିଥିଲେ । ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିର ଆଗରେ ଭିକ୍ଷା କରନ୍ତି ମହିଳା । ଭିକ୍ଷା କରି ପାଇଥିବା ଏକ ଲକ୍ଷ ଟଙ୍କାକୁ ତୁଳା ବେହେରା ଫୁଲବାଣୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ । ଏଭଳି ପରୋପକାରି ମହିଳାଙ୍କୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । ଯାହା ପରେ ପ୍ରଧାନମନ୍ତ୍ରୀ ମୋଦି ବି ବୃଦ୍ଧାଙ୍କୁ ଭେଟିବାରୁ ନିଜକୁ ଅଟକାଇ ପାରିନଥିଲେ । ଏପରି ମହିଳା ସମସ୍ତଙ୍କ ଠାରୁ ଭିନ୍ନ ଏବଂ ତାଙ୍କ ବଦାନ୍ୟତାକୁ ଶତ ପ୍ରଣାମ ।  ଏମିତି କିଛି କହିଥିଲେ ମୋଦି ।

ତେବେ ଚଳିତ ବର୍ଷ ରେଳ ବିଭାଗ ଏହି ଘଟଣାକୁ କ୍ୟାଲେଣ୍ଡରରେ ସ୍ଥାନ ଦେଇଛି । ମୋଦି ଜୀଙ୍କ ସହିତ ତୁଳା ବେହେରାଙ୍କ ଭେଟକୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇଛି ରେଳ ବିଭାଗ । କେନ୍ଦ୍ର ସରକାରଙ୍କ କ୍ୟାଲେଣ୍ଡରରେ ସ୍ଥାନ ପାଇଥିବାରୁ ଖୁସି ବ୍ୟକ୍ତ କରିବା ସହ କୃତଜ୍ଞତା ଜଣାଇଛନ୍ତି ତୁଳାଙ୍କ ପୋଷ୍ୟା ଝିଅ ଏବଂ କନ୍ଧମାଳ ବାସୀ ।

ତୁଳା ବେହେରା ପୂର୍ବରୁ ଲକ୍ଷେ ଟଙ୍କା ଦାନ କରିଥିବା ବେଳେ ଏବେ ତାଙ୍କର ଛୋଟ ଇଚ୍ଛା ଟିଏ ଅଛି । ଅନ୍ୟ ଗରିବ ଭିକ୍ଷୁକମାନଙ୍କ ରହିବା ପାଇଁ ଆଶ୍ରମ ଖଣ୍ଡେ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ତୁଳା ବେହେରା । ତାଙ୍କର ଏ ଇଚ୍ଛା ପୂରଣ ହୋଇପାରିଲେ ଅନେକ ଗରିବଙ୍କୁ ରହିବା ପାଇଁ ସ୍ଥାନ ମିଳି ପାରିବ ।

 

 

You might also like