ବର୍ଷ ବର୍ଷ ଧରି ମହାପ୍ରଭୁଙ୍କ ସେବାରେ ତୁଳସୀ ବାବା, ନିରନ୍ତର ଯୋଗାଇ ଆସୁଛନ୍ତି ଜଗନ୍ନାଥଙ୍କ ଅତି ପ୍ରିୟ ତୁଳସୀ ଦୟଣା

ଭକ୍ତ ଏବଂ ଭଗବାନଙ୍କ ସମ୍ପର୍କ ଯୁଗ ଯୁଗ ଧରି ରହି ଆସିଅଛି । ସେ ସମ୍ପର୍କ ଅଦ୍ଵିତୀୟ, ଅନନ୍ୟ । ଭଗବାନଙ୍କୁ ସେବା ଯୋଗାଇବା ହେଉଛି ଭକ୍ତର ସୌଭାଗ୍ୟ । ଯେଉଁଥିରେ ତାକୁ ପରମ ତୃପ୍ତି ମିଳିଥାଏ | ଆଜି ଆସନ୍ତୁ ଏମିତି ଜଣେ ଭକ୍ତଙ୍କୁ ଭେଟିବା ଯିଏ କି ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଈଶ୍ୱରଙ୍କ ସେବାରେ ଅଛନ୍ତି । ସେ ପୁଣି ଜଗତର ନାଥ ଜଗନ୍ନାଥଙ୍କର । ବୈଶାଖର ଡହ ଡହ ଖରା, ଶ୍ରାବଣର ଅବିଶ୍ରାନ୍ତ ବର୍ଷା, ମାଘର ହାଡ଼ ଭଙ୍ଗା ଶୀତ କାକର ତାଙ୍କ ପାଖରେ ହାର ମାନିଛନ୍ତି । ମହାପ୍ରଭୁଙ୍କ ସେବାରେ ବାଧକ ସାଜିପାରିନି ଏସବୁ । ବୟସର ଅପରାହ୍ନରେ ବି ଜାତୀୟ ରାଜପଥର ବିଭିନ୍ନ ସ୍ଥାନରୁ ମହାପ୍ରଭୁଙ୍କ ପାଇଁ ତୁଳସୀ, ନଡ଼ିଆ ସମେତ ବିଭିନ୍ନ ପ୍ରକାରର ପୁଷ୍ପ ସଂଗ୍ରହ କରି ନେଇଥାନ୍ତି ।

   “ୟନ୍‌ ମୂଳେ ସର୍ବ ତୀର୍ଥାନୀ । ୟନ୍‌ ମଧ୍ଯେ ସର୍ବ ଦେବତା । ୟଦାର୍ଗ୍ରେ ସର୍ବ ବେଦାଶ୍ଚ ତୁଳସୀ ତ୍ୱମ ନାମାମ୍ଯଃ ।”

ଜଗାର ତୁଳସୀ ଦୟଣା ମାଳ ଭାରି ପ୍ରୀୟ । ଭୋଗ ହେଉ କି ପାଦୁକା ତୁଳସୀ ନ ପଡ଼ିଲେ ପ୍ରଭୁଙ୍କ ପାଖରେ ଲାଗି ହୁଏ ନାହିଁ । ସେଇଥିପାଇଁ ତ କାଳିଆ ସାଆନ୍ତଙ୍କ ଅନ୍ଯାନ୍ଯ ସେବା ଭିତରେ ଏକ ପ୍ରଧାନ ସେବା ହେଉଛି ତୁଳସୀ ସେବା । ପ୍ରତିଦିନ ସାଆନ୍ତଙ୍କ ପାଖରେ ଲାଗି ହୋଇଥାଏ ପବିତ୍ର ତୁଳସୀ । ଆଉ ଏହି ତୁଳସୀ ଆସିଥାଏ ଜଗାର ପରମ ଭକ୍ତ ଦାସିଆବାଉରୀଙ୍କ ପୀଠରୁ । ଏକଦା ଦାସିଆଙ୍କ ହାତରୁ ନିଜେ ହାତ ବଢାଇ ନଡ଼ିଆ ଆଉ ଆମ୍ବ ନେଇଥିଲେ ମହାପ୍ରଭୁ । ଆଉ ଦାସିଆଙ୍କ ସ୍ମୃତିରେ ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ବାଲିଗାଁରୁ କାଳିଆ ସାଆନ୍ତଙ୍କ ନିକଟକୁ ତୁଳସୀ ପଦ୍ମ ଫୁଲ ଏବଂ ନଡ଼ିଆ ପଠାଯାଇଥାଏ ।

tulasi baba

ମହ ମହ ବାସ୍ନାରେ ମହକି ଯାଏ କାଳିଆ ସାଆନ୍ତଙ୍କ ପ୍ରୀୟ ଦୟଣା ଆଉ ତୁଳସୀ ସହିତ ବିଭିନ୍ନ ପ୍ରକାରର ସୁଗନ୍ଧିତ ଫୁଲ । ଏ ସୁବୁକୁ ଏକତ୍ରିତ କରି ସାଆନ୍ତଙ୍କ ପାଖକୁ ନେଇ ଯାଆନ୍ତି ଭୂବନେଶ୍ୱର ମଂଚେଶ୍ୱର ଗାଡ଼ ମହାବୀର ମନ୍ଦିରର ରାମ ଶରଣ ଦାସ ମହାରାଜ । ତାଙ୍କୁ ସମସ୍ତେ ତୁଳସୀ ବାବା ନାଁରେ ଡ଼ାକିଥାନ୍ତି । ତାଙ୍କର ଏହି ଯାତ୍ରା ସପ୍ତାହରେ ଦିନେ କି ଦୁଇ ଦିନ ନୁହେଁ ପ୍ରତିଦିନ ହୋଇଥାଏ ଶ୍ରୀକ୍ଷେତ୍ର ଧାମ ପୁରୀକୁ। ଖରା ବର୍ଷା ଶୀତ କାକର କିଛି ବି ଅଟକାଇ ପାରିନାହିଁ ବାବାଙ୍କ ବାଟକୁ । ରାଜ୍ଯର ବିଭିନ୍ନ ମଠ ମନ୍ଦିର ଏବଂ ଭକ୍ତଙ୍କ ଠାରୁ ତୁଳସୀ ସହିତ ବିଭିନ୍ନ ପ୍ରକାର ସୁଗନ୍ଧ ପୁଷ୍ପ ଆସିଥାଏ ଭୂବନେଶ୍ୱରର ବିଭିନ୍ନ ସ୍ଥାନକୁ ।

ଆଉ ସେଠାରୁ ବାବା ଏହାକୁ ସଂଗ୍ରହ କରି ଛୁଟିଆସିଥାନ୍ତି କାଳିଆ ସାଆନ୍ତଙ୍କ ନିକଟକୁ । ବାଟରେ ଭକ୍ତ ଦାସିଆ ପୀଠରୁ ନଡ଼ିଆ ତୁଳସୀ, ଆମ୍ବ, ପଣସ ଆଦି ନେଇଥାନ୍ତି । ପଶ୍ଚିମ ଦ୍ୱାରରେ ପହଂଚି ଭିତର ବେଢାରେ ଏସବୁକୁ ସମର୍ପଣ କରିଥାନ୍ତି | କୋଭିଡ଼ର କଟକଣା ହେଉ କି ପ୍ରକୃତିର କରାଳ ରୂପ କିଛି ବି ବାଧା ଦେଇ ପରିନାହିଁ କାଳିଆ ସାଆନ୍ତଙ୍କ ସେବାରେ । ଦୀର୍ଘ ୪୦ ବର୍ଷ ଧରି ଏହି ସେବାଯୋଗାଇ ଆସୁଥିବାବେଳେ ଏହା ସେହି ସାଆନ୍ତଙ୍କ ପାଇଁ ସମ୍ଭବ ହୋଇ ପାରୁଛି ବୋଲି କହିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.