ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆସିଲା ଟ୍ୱିଷ୍ଟ, ବହିରୁ ମିଳିଲା ସୁଇସାଇଡ ନୋଟ

ଉଦଳା: ଉଦଳା ଅନ୍ୱେଷା ହଷ୍ଟେଲରେ ଛାତ୍ରୀ ମୃତ୍ୟୁ ଘଟଣାରେ ଆସିଲା ଟ୍ୱିଷ୍ଟ ।  ଛାତ୍ରୀଙ୍କ ବହିରୁ ପୋଲିସକୁ ମିଳିଲା ସୁଇସାଇଡ ନୋଟ ।  ଗତକାଲି ଉଦଳା ଅନ୍ୱେଷା ହଷ୍ଟେଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ୍ ତଦନ୍ତ କରିବା ସହ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଛି । ଛାତ୍ରୀ ଜଣକ ନିଜେ ସୁଇସାଇଡ କରିଥିବା ଉଲ୍ଲେଖ ରହିଛି। ଚିଠିଟି ନିଜର ଜଣେ ସାଙ୍ଗକୁ ଲେଖିଥିବା ବେଳେ ନିଜର ପ୍ରେମ ସମ୍ପର୍କରେ ଉଲ୍ଲେଖ କରିଛନ୍ତି  ।

ଏପରିକି ଭଲ ପାଉଥିବା ଯୁବକଙ୍କୁ ମରିଯିବା ପରେ ବିବାହ କରିବେ ଓ ତାଙ୍କୁ ଉପରେ ଥାଇ ଅପେକ୍ଷା କରିଛି ବୋଲି ଚିଠିରେ ଉଲ୍ଲେଖ ଲେଖିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ହଷ୍ଟେଲ କର୍ତ୍ତୃପକ୍ଷ କିମ୍ବା ଅନ୍ୟ କାହାରି ହାତ ନାହିଁ ବୋଲି ନୋଟରେ ଲେଖିଛନ୍ତି। ଏହି ସୁଇସାଇଡ ନୋଟ ପାଇବା ପରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ପୋଲିସ୍ । ଅନ୍ୟପଟେ ଏହି ସୁଇସାଇଡ ନୋଟ ନେଇ ମୃତ ଛାତ୍ରୀଙ୍କ ପରିବାର ଲୋକେ କିଛି ଜାଣି ନ ଥିବା କହିଛନ୍ତି ।

ସୂଚନା ଅନୁସାରେ ଗତକାଲି ହଷ୍ଟେଲରେ ଅଭିଭାବକ ବୈଠକ ଥିବାବେଳେ ନାବାଳିକାଙ୍କ ପରିବାର ଲୋକ ମଧ୍ୟ ସେହି ବୈଠକକୁ ଆସିଥିଲେ ।  ଅପରାହ୍ନରେ ଝିଅ ସହ କଥା ହୋଇ ଘରକୁ ଫେରିଥିଲେ । ହେଲେ ସନ୍ଧ୍ୟାରେ ପ୍ରାର୍ଥନା ସମୟରେ ସେ ଅନୁପସ୍ଥିତ ଥିଲେ । ଖୋଜାଖୋଜି ପରେ ନାବାଳିକା ଜଣଙ୍କ ତୃତୀୟ ମହଲାର ବାଲକୋନୀରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା । ପରେ ଅନ୍ୟ ଛାତ୍ରୀମାନେ ହଷ୍ଟେଲ ମାଟ୍ରନଙ୍କୁ କହିବା ପରେ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚିଥିଲେ ।  ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।  ଉଦଳା ପୋଲିସ ସହିତ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।  ଛାତ୍ରୀଙ୍କ ମୃତ୍ୟୁ ପରେ ଅଭିଭାବକମାନେ ବିଳମ୍ବିତ ରାତିରେ ପହଞ୍ଚି ସାଙ୍ଗରେ ପିଲାଙ୍କୁ ନେଇଯାଇଯାଇଛନ୍ତି ।

 

ଆହୁରି ପଢ଼ନ୍ତୁ :  ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ବିଳମ୍ବିତ ରାତି ହଷ୍ଟେଲ ଛାଡିଲେ ୩୦ ଅନ୍ତେବାସୀ