ଗଞ୍ଜାମ: ମେଡିକାଲ ଷ୍ଟ୍ରେଚର୍ ରେ କୁନି ପୁଅର ମୃତ ଶରୀରକୁ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦୁଛି ମା’ । କାନ୍ଦି କାନ୍ଦି ତଣ୍ଟି ଶୁଖିଗଲାଣି । ଆଖି ଲୁହ ପିଇଯାଉଛି ଓଠ । ନିରୀହ ଛୁଆଟି ଆଜି ତା ସହ ଏତେ ବଡ଼ ଅଘଟଣ ଘଟିଗଲା । ସେପେଟ ନାତିକୁ ଝୁରି ବାହୁନି ବାହୁନି କାନ୍ଦୁଛି, ଜେଜେମା । କାରଣ ଭଙ୍ଗା କାନ୍ଥ ପଡ଼ି ଚାଲିଗଲା ନାତୀର ଜୀବନ । ଆଖି ସାମ୍ନାରେ ଏତେସବୁ ଘଟିଗଲା କେମିତି ବା ଭୁଲିପାରିବେ ।
ହାତୀ ଘର ଭାଙ୍ଗି ଦେଇଥିଲେ । ସହି ଭଙ୍ଗାଘରେ ପିଲାଛୁଆଙ୍କୁ ଧରି ରହୁଥିଲେ । ଗଲା ରାତିରେ ତୁହାକୁ ତୁହା ବର୍ଷା ହେଲା । ଭଙ୍ଗା ମାଟି-କାନ୍ଥ ଟି ଭୁଷୁଡି ପଡିଲା । ପୁଅ – ବୋହୁ ଓ ଅଢେଇ ବର୍ଷର ନାତି,କାନ୍ଥ ତଳେ ଚାପି ହୋଇଗଲେ । ପୁଅ – ବୋହୂ ସାମାନ୍ୟ ଆହତ ହୋଇ ବର୍ତ୍ତି ଗଲେ । କିନ୍ତୁ ନାତି ଟୋକାଟା , ଆଖି ବୁଜିଦେଲା । ଯିଏ ବଡ ହେଲେ ମୋତେ କାନ୍ଧରେ ନେବାକୁ ଖନେଇ ଖନେଇ କହୁଥିଲା, ଆଜି ତା ମଲା ଦେହଟା ମୋ କାନ୍ଧରେ ଯିବାକୁ ପ୍ରସ୍ତୁତ ରହିଛି । ହାତୀ ମାହାପୁରୁ ଘର ଭାଙ୍ଗିଦେଲା ପରେ ଜରିପାଲ ଖଣ୍ଡେ, କେହିବି’ ଦେଲେନି । ସେତକ ହୋଇଥିଲେ, ପାଲ ଟାଣି ପିଲାଛୁଆ ରହିଯାଇଥାନ୍ତେ । ହେଲେ, ତାହା ହେଲାନି । ଭଙ୍ଗା ମାଟିକାନ୍ଥ ତଳେ, ଚାଲିଗଲା ନାତିର ଜୀବନ । ଏମିତି କହି କହି କାନ୍ଦୁଛି ଜେଜେମା କନକ ।
ଏ ହେଉଛି ଗଂଜାମ ଜିଲ୍ଲା ଭଂଜନଗର ମେଡିକାଲର ଦୃଶ୍ୟ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ବାଇବାଲି ଗାଁ ନିକଟ, ତୋଟାସାହିର ବାସିନ୍ଦା, ବସନ୍ତ ପ୍ରଧାନ । ବୁଢ଼ା ବାପା, ମା, ସ୍ତ୍ରୀ, ଦୁଇ ଝିଅ ଓ ଅଢେଇ ବର୍ଷର ପୁଅକୁ ନେଇ ନିଜ ଝାଟି-ମାଟି କୁଢିଆ ଘରେ ରହୁଥିଲେ । ଗତ ଦୁଇମାସ ପୂର୍ବରୁ ପାଖ ଜଙ୍ଗଲରୁ ହାତିପଲ ଆସି ଘର ଭାଙ୍ଗିଦେଲେ । ଏ ସଂକ୍ରାନ୍ତରେ ସ୍ଥାନୀୟ ବନ କର୍ମଚାରୀ ଏବଂ ଆରଆଇ ଙ୍କୁ ଜଣାଇଲେ । ଜରିପାଲ ଖଣ୍ଡେ ଦେବାକୁ କହିଲେ । କିନ୍ତୁ କେହିବି ଶୁଣିଲେ ନାହିଁ । ଶନିବାର ରାତିରେ ବାପା, ମା ଓ ଦୁଇ ଝିଅ ଅଲଗା ଏକ ଘରକୁ ଚାଲିଯାଇଥିଲେ ଶୋଇବା ପାଇଁ । ଭଙ୍ଗା ଘରେ ପୁଅ, ବୋହୁ ଓ ନାତି ଶୋଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।