ଘୁଷୁରି ଗୁହାଳରେ ଜଳିଗଲେ ଦୁଇ ଶିଶୁ

ବାଂଶପାଳ(କେନ୍ୟୁଜ୍) : ଘରେ କେହି ନଥିବାବେଳେ ପୋଡିଗଲେ ଦୁଇ ଜଣ ନିଷ୍ପାପ ଶିଶୁ । ୩ ବର୍ଷର ଦୁଇ ଜଣ ଶିଶୁ ଘର ଅଗଣାରେ ଖେଳୁ ଥିଲେ। ଖେଳୁ ଖେଳୁ ପାଖରେ ଥିବା ପାଳଗଦାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏହି ନିଆଁ ପାଖରେ ଥିବା ଘୁଷୁରି ଗୁହାଳକୁ ହଠାତ୍ ମାଡିଯାଇଥିଲା । ସେଠାରେ ଥିବା ଦୁଇ ଜଣ ଶିଶୁ ନିଆଁରେ ପୋଡ଼ି ହୋଇଯାଇଥିଲେ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ୍ ନୟାକଟ ଥାନା ଅନ୍ତର୍ଗତ ଅଡ଼ାଳ ମୁଣ୍ଡା ସାହିରେ। ମୃତ ଦୁଇ ଶିଶୁ ହେଲେ ରାହୁଲ ଓ ସାଗର ମୁଣ୍ଡା। ରାହୁଲ ହେଉଛି ଗାଁର କହ୍ନେଇ ମୁଣ୍ଡାଙ୍କ ପୁଅ। ଆଉ ସାଗର ହେଉଛି ତାଙ୍କ ପୁତୁରା ଅର୍ଥାତ୍ ତାଙ୍କ ସାନ ଭାଇ ହୃଦାନନ୍ଦଙ୍କ ପୁଅ।

WhatsApp Image 2018-12-14 at 12.02.06 PMଉଭୟ କହ୍ନେଇ ଓ ହୃଦାନନ୍ଦଙ୍କ ପରିବାର ଲୋକେ ଜମିକୁ କାମ କରିବାକୁ ଯାଇଥିବା ବେଳେ ଏ ଘଟଣା ଘଟିଥିଲା। ଅର୍ଦ୍ଧଦଗ୍ଧ ପିଲାଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେମାନଙ୍କ ମୃତ୍ୟୁ ଘଟିଥିଲା। ବାଁଶପାଳ ଅଞ୍ଚଳରେ ଲୋକେ ଘୁଷୁରି ରଖିବା ପାଇଁ ପ୍ରାୟ ୩ ଫୁଟ୍ ଉଚ୍ଚର ଛୋଟ ଛୋଟ ଗୁହାଳ କରି ଥାଆନ୍ତି। ଛୋଟ ଛୋଟ ଗୁହାଳ ଯୋଗୁ ପିଲା ଦୁଇଟି ବାହାରି ନ ପାରିବାରୁ ଏମିତି ଏକ ଘଟଣା ଘଟିଥିବା କୁହାଯାଉଛି।