ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ, ଉଭୟ ବିବାହିତ ଥିବା ସୂଚନା
ବ୍ରହ୍ମପୁର: ପ୍ରେମ ପାଇଁ ଗଲା ଜୀବନ । ଚରମ ନିଷ୍ପତ୍ତି ନେଲେ ପ୍ରେମୀଯୁଗଳ । ଗଞ୍ଜାମ ଦିଗପହଣ୍ଡିରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ଅଲାରିଗଡ଼ ଗାଁ ନିକଟ ପାହାଡ଼ରୁ ୨ଟି ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତଦେହ ଜଣେ ମହିଳା ଓ ଜଣେ ପୁରୁଷଙ୍କର । ଉଭୟ ବିବାହିତା ବୋଲି ଜଣାପଡିଛି। ଉଭୟଙ୍କର ସନ୍ତାନ ଅଛନ୍ତି । ମୃତକ ହେଲେ ମୃତକ ହେଲେ ରାଜେନ୍ଦ୍ର ଓ ସୁମିତ୍ରା ସାହୁ ।
ସୂଚନା ଅନୁସାରେ ମୃତ ମହିଳା ଜଣଙ୍କ ହେଲେ ଜିଉରାର ସୁମିତ୍ରା ସାହୁ । ସେ ପାଟପୁର ଥାନା ଅନ୍ତର୍ଗତ ପାଟପୁର ଗାଁର ସନ୍ତୋଷ ସାହୁଙ୍କୁ ବିବାହ କରିଥିଲେ । ମୃତ ପୁରୁଷ ଜଣଙ୍କ ହେଲେ ରାଧାଦେଇପୁର ଗ୍ରାମର ସିମାଞ୍ଚଳ ସାହୁଙ୍କ ପୁଅ ରାଜେନ୍ଦ୍ର ସାହୁ । ପାଞ୍ଚ ଦିନରୁ ଊର୍ଦ୍ଧ୍ବ ହେବ ଉଭୟ ନିଖୋଜ ଥିଲେ । ଆଜି ଉଭୟଙ୍କ ମୃତଦେହ ପାହାଡ଼ ଉପର ଏକ ଗଛରୁ ଠାବ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଚହଳ ପଡିଯାଇଛି । ଘଟଣାସ୍ଥଳରୁ କୀଟନାଶକ, ରସି, ଛୁରା ଆଦି ଜବତ ହୋଇଛି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କରୁ ଏପରି ଚରମ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।