ଦୁର୍ଘଟଣା ନେଲା ପ୍ରଧାନ ଶିକ୍ଷକଙ୍କ ଜୀବନ, ଉଚ୍ଛନ ହୋଇଗଲା ସୁନା ସଂସାର

କନ୍ଧମାଳ : କାନ୍ଦ ବୋବାଳିରେ ଫାଟିପଡ଼ୁଛି ପୁରା ପରିବେଶ । ଧୈର୍ଯ୍ୟ ରହୁନି କାହାର । ଏ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ କ୍ଷଣକେ ସବୁକିଛି ଓଲଟ ପାଲଟ ହୋଇଯାଇଛି । ଦୁର୍ଘଟଣା ଉଜାଡ଼ି ଦେଇଛି ସୁନା ସଂସାର । ସବୁ ଦିନ ପରି ସକାଳୁ ସକାଳୁ ସ୍କୁଲ ଯାଇଥିଲେ କିନ୍ତୁ ତାଙ୍କ ସହ ଏମିତି କିଛି ଘଟିଯିବ ସେ କେବେ ସ୍ବପ୍ନରେ ବି ସୁଦ୍ଧା ଭାବି ନଥିଲେ ।

ସବୁଦିନ ପରି ସ୍କୁଲ ଯାଇଥିଲେ ପ୍ରଧାନ ଶିକ୍ଷକ । ସ୍କୁଲ୍ କୁ ଯାଇ ନିଜର ଉପସ୍ଥାପନା ପକାଇ ନିଜ ମୋଟର ସାଇକଲରେ ହେଲମେଟ ପିନ୍ଧି ଗୋଚ୍ଛା ପଡ଼ା ଠାରେ ବାଘଡଙ୍ଗରି ସ୍କୁଲ ରେ ଥିବା ଏକ ମିଟିଂ ରେ ଯୋଗ ଦେବାକୁ ଯାଉଥିଲେ । ହେଲେ ବାଟରେ ଛକି ବସିଥିଲା ଯମ। ହଠାତ୍ ସମ୍ମୁଖରୁ ଦୃତ ଗତିରେ ଆସୁଥିବା ଏକ କେଟିଏମ୍ ବାଇକ୍ ପ୍ରଧାନ ଶିକ୍ଷକଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ପ୍ରଧାନ ଶିକ୍ଷକ ପିଟି ହୋଇ ରାସ୍ତାରେ ଛିଟିକି ପଡ଼ିଥିଲେ । ଆଉ ଘଟଣା ସ୍ଥଳରେ ହିଁ ଗୁରୁତର ଅବସ୍ଥାରେ ତାଙ୍କର ଅକାଳ ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣାର ଭୟଙ୍କର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପୋଲିସ୍ ଓ ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ତୁରନ୍ତ ଆମ୍ବୁଲାନ୍ସ ଓ ଗୋଛା ପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ରେ ବସିଥିବା ତିନି ଗୁରୁତରଙ୍କୁ ନିକଟ ଗୋଚ୍ଛାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ । ପରେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଫୁଲବାଣୀ ଆସିବା ସମୟରେ ରାସ୍ତାରେ ଜଣଙ୍କ ମୃତ୍ୟୁ ହୋଇଥିଲା । ପ୍ରଥମେ ପ୍ରଧାନ ଶିକ୍ଷକଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଘର୍ଟଣା ଘଟାଇଥିବା ଗାଡ଼ିରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଉଛି। ସେ ହେଉଛନ୍ତି ବିଶ୍ବମ୍ବର କହଁର । ପ୍ରଧାନଶିକ୍ଷକଙ୍କ ମୃତ ଦେହ ଫୁଲବାଣୀ ଆଣି ମୃତ ଦେହକୁ ପୋଷ୍ଟମର୍ଟମ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ଠାରେ ଦେଖିବାକୁ ମିଳିଛି ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ଠାରେ ଥିବା ସରକାରୀ ବନବାସୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ରବିଚନ୍ଦ୍ର ଦାସ । ପ୍ରଧାନ ଶିକ୍ଷକଙ୍କ ଗୋଟିଏ ପୁଅ ଓ ଝିଅ ରହିଛନ୍ତି । ଝିଅ ଚତୁର୍ଥ ଶ୍ରେଣୀ ରେ ପଢୁଥିବା ବେଳେ ପୁଅ ଯୁକ୍ତ ଦୁଇ ଶ୍ରେଣୀରେ ପଢୁଥିବା କହିଛନ୍ତି ସମ୍ପର୍କୀୟ । ପ୍ରଧାନ ଶିକ୍ଷଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡିଛନ୍ତି ତାଙ୍କ ଧର୍ମ ପତ୍ନୀ,ପରିବାର ଓ ସହକର୍ମୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ । ପ୍ରଧାନ ଶିକ୍ଷକ ଜଣେ ମିଷ୍ଟଭାଷୀ ଓ ମେଳାପି ବ୍ୟକ୍ତିତ୍ଵ ଥିଲେ । ଶିକ୍ଷକ କ୍ଷେତ୍ରରେ ବନବାସୀ ଉଚ୍ଚ ବିଦ୍ୟାଳୟ, ଅପୂରଣୀୟ ବୋଲି କହିଛନ୍ତି ସହଯୋଗୀ ମାନେ ।

You might also like