ଛିଡ଼ା ହୋଇଥିବା ହାଇଓ୍ଵାକୁ ପଛରୁ ଧକ୍କା ଦେଲା ଟ୍ରଲର, ଦୁଇ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ
ବଣାଇଁ : ଛିଡ଼ା ହୋଇଥିବା ହାଇଓ୍ଵାକୁ ପଛରୁ ଧକ୍କା ଦେଲା ଟ୍ରଲର । ବଣାଇଁ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ତାରିଣୀ ଢାବା ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏକ ହାଇୱା ଗାଡି ଛିଡା ହୋଇଥିବା ବେଳେ ପଛପଟୁ ଏକ ଟ୍ରଲର ଗାଡି ଆସି ଧକ୍କା ଦେଇଥିଲା । ଫଳରେ ହାଇୱା ଗାଡିର ଡ୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଟ୍ରଲର ଗାଡି ଚାଳକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।
ସୂଚନାରୁ ପ୍ରକାଶ କି ରାତି ୮ ଟା ପାଖାପାଖି ସମୟରେ ତାରିଣୀ ଢାବା ନିକଟରେ ହାଇୱା ଗାଡିଟି ବ୍ରେକ ଡାଉନ୍ ହୋଇ ଛିଡା ହୋଇ ଥିବାବେଳେ ଗାଡିର ଡ୍ରାଇଭର ଗାଡ଼ି ତଳେ ପସି କାମ କରୁଥିଲା । ହଠାତ ସେତିକି ବେଳେ ଏକ ଟ୍ରଲର ଗାଡି ଦ୍ରୁତ ଗତିରେ ଆସି ଛିଡା ହୋଇଥିବା ହାଇୱା ଗାଡିକୁ ଧକ୍କା ଦେଇଥିଲା ଫଳରେ ହାଇୱା ଗାଡି ଡ୍ରାଇଭର ଚକ ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି । ଅନ୍ୟପଟେ ଟ୍ରଲର ଗାଡିର ଚାଳକ ମଧ୍ୟ ନିଜ ଗାଡିରେ ଚାପି ହୋଇ ରହିଥିଲା ଫଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ବଣାଇଁ ପୋଲିସକୁ ଖବର ଦେଇ ଥିଲେ । ବଣାଇଁ ପୋଲିସ ଓ ଦମକଳ ବାହିନୀ କର୍ମଚାରୀ ପହଞ୍ଚିଥିବା ପରେ ଟ୍ରଲର ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ଗ୍ୟାସ୍ କଟର ଯୋଗେ ଗାଡି କାଟି ଡ୍ରାଇଭରକୁ ବାହାର କରି ଚିକିତ୍ସା ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଟ୍ରଲର ଚାଳକର ମଧ୍ୟ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ପୋଲିସ ଦୁଇ ଗାଡ଼ିକୁ ସିଜ୍ କରିବା ସହିତ ଘଟଣାର ତଦନ୍ତ କରୁଛି ।