ଦୁଇ ପରିବାରର ସାହାରା ଛଡାଇ ନେଲା କଳିଙ୍ଗା ଘାଟି: କିଏ ମା’ କୋଳକୁ ଫେରିପାରିଲାନି ତ ଆଉ କିଏ ଦେଇପାରିଲାନି ବାପାଙ୍କୁ ମୁଖାଗ୍ନି

ଭଞ୍ଜନଗର (କେ ନ୍ୟୁଜ୍‌): ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ବସ୍‌ ଦୁର୍ଘଟଣା ହେବାରୁ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଦୁଇଟି ଅମୂଲ୍ୟ ଜୀବନ ଚାଲିଯିବା ପରେ ପରିବାରରେ ଛିଡିପଡ଼ିଛି ବିପତ୍ତିର ପାହାଡ଼ । ଘରକୁ ଫେରିବା ବେଳେ ଏଭଳି ଘଟିଲା ଅଘଟଣ । ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ ହେଲା । ଦୁଇ ଦୁଇଟି ରୋଜଗାରିଆ ପୁଅ ଚାଲିଗଲେ ଆରପାରିକୁ । ଏବେ ଅସହାୟ ହୋଇ ପଡ଼ିଛି ତାଙ୍କ ପରିବାର । ସେମାନେ ବାକି ଜୀବନ କେମିତି କଟିବ, ତାକୁ ନେଇ ଚିନ୍ତାରେ ପରିବାର ।

bus

କିଛି ସମୟ ଭିତରେ ପହଞ୍ଚିଥାନ୍ତେ ଜନ୍ମ ମାଟିରେ । ହେଲେ କାଳ ସାଜିଲା କଳିଙ୍ଗା ଘାଟି । ରାତି ଅନ୍ଧାରରେ ଦୁର୍ଗମ ରାସ୍ତା ପାର୍‌ କରି ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବସ୍‌ । ଲିଭିଗଲା ଦୁଇ ଜଣଙ୍କ ଜୀବନ ଦୀପ । ବୁଗୁଡ଼ାର ଚିତ୍ତରଞ୍ଜନ ସେଠୀ ଓ ସନ୍ତୋଷ ସେଠୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଦୁଇ ପରିବାର । ଶୁଖୁନି ସେମାନଙ୍କ ଆଖିର ଲୁହ । ରୋଜଗାରିଆ ପୁଅକୁ ହରାଇ ବେସାହାର ହୋଇପଡ଼ିଛି ଦୁଇ ପରିବାର । ଚିତ୍ତରଞ୍ଜନ ଓ ତାଙ୍କ ଦୁଇ ପୁଅ ସୁରତରୁ ଫେରୁଥିବା ବେଳେ ବାପାଙ୍କ ମୃତ୍ୟୁ ହୋଇଛି । ଦୁଇ ପୁଅ ଏବେ କ୍ୱାରେଣ୍ଟାଇନ୍‌ରେ । ପରିବାରରେ ବୃଦ୍ଧା ମା ଓ ସ୍ତ୍ରୀ ଆଉ ଝିଅ ଏକା । ବାପାଙ୍କ ଶବ ସତ୍କାର ପାଇଁ ମଧ୍ୟ ପୁଅ ଆସିପାରୁ ନାହିଁ । ଏଭଳି ସମୟରେ ପରିବାର ଉପରେ ଭାଙ୍ଗିପଡ଼ିଛି ଦୁଃଖର ପାହାଡ଼ ।

4

ସେପଟେ କିନ୍ତୁ ସନ୍ତୋଷ ସେଠୀଙ୍କୁ ହରାଇ ପୂରା ପରିବାର ଏବେ ବେସାହରା ହୋଇପଡ଼ିଛି । କୁନି କୁନି ଦୁଇ ପିଲା ଓ ବୃଦ୍ଧ ଶାଶୂ ଶ୍ୱଶୁରଙ୍କୁ ନେଇ କେମିତି ବଞ୍ଚିବେ, ତାକୁ ନେଇ ଚିନ୍ତାରେ ସନ୍ତୋଷଙ୍କ ପତ୍ନୀ । ଅସମୟରେ ଭେଣ୍ଡିଆ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ବୃଦ୍ଧ ବାପାମା ।

bus 2

ଅକାଳରେ ଦୁଇ ଦୁଇଟି ଜୀବନ ଚାଲିଯାଇଛି । ଏବେ ପରିବାରକୁ କିଏ ହେବ ସାହାରା ? କେମିତି ଚଳିବେ ପରିବାର ଲୋକେ ? ଏଇ ଚିନ୍ତା ଘାରିଛି ସେମାନଙ୍କୁ । ସରକାରୀ କିମ୍ବା ବେସରକାରୀ ସ୍ତରରୁ ସହାୟତା ମିଳିପାରିଲେ, ହୁଏତ କିଛିଟା ଆଶ୍ୱସ୍ତି ମିଳି ପାରିବ ଏଇ ବେସାହାରା ପରିବାରକୁ ।

ଭଞ୍ଜନଗରରୁ ରତ୍ନାକର ସାହୁ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.