ଧର୍ମଶାଳାରୁ ୨ଜଣ ଓଏଏସ୍‌ ପରୀକ୍ଷାରେ ସଫଳ: ଅଶ୍ୱିନୀ ଟପ୍ପର , ୭୮ତମ ସ୍ଥାନରେ କଳ୍ପିତା

ଯାଜପୁର(କେନ୍ଯୁଜ୍): ନିକଟରେ ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବା -୨୦୧୯ ପରୀକ୍ଷାର ଫଳ । ଏଥିରେ ଯାଜପୁର ଜିଲ୍ଲାକୁ ମିଳିଛି ଏକାଧିକ ସଫଳତା । ଜିଲ୍ଲାର ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଅଶ୍ୱିନୀ କୁମାର ପଣ୍ଡା ଟପର ହୋଇଥିବା ବେଳେ ଜାରକା ନିବାସୀ କଳ୍ପିତା ଜେନା ୭୮ତମ ସ୍ଥାନ ଅଧିକାର କରିଛନ୍ତି । ଏନେଇ ଉଭୟ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।

ଓଡିଶା ପ୍ରଶାସନିକ ସେବା ପରୀକ୍ଷାର ଫଳ ପ୍ରକାଶ ପାଇସାରିଛି । ଏଥିରେ ଯାଜପୁର ଜିଲ୍ଲା ଧର୍ମଶାଳାରୁ ଦୁଇଜଣ ପରୀକ୍ଷାରେ ସଫଳ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବା ବେଳେ ୭୮ତମ ସ୍ଥାନରେ ରହିଛନ୍ତି କଳ୍ପିତା ଜେନା । ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଅଭିମନ୍ଯୁ ପଣ୍ଡା ଓ ସେବତୀ ପଣ୍ଡାଙ୍କ ସାନ ପୁଅ ହେଉଛନ୍ତି ଅଶ୍ୱିନୀ । ପ୍ରଥମ ପରୀକ୍ଷାରେ ହିଁ ସଫଳତା ପାଇ ପାରିଛନ୍ତି । ସେ କେବଳ ସଫଳ ହୋଇନାହାନ୍ତି ରାଜ୍ଯର ପ୍ରଥମ ସ୍ଥାନ ଅଧିକାର କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛଛନ୍ତି । ଚଣ୍ଡିଖୋଲ ଜନକଲ୍ଯାଣ ହାଇସ୍କୁଲରୁ ପାଠପଢା ସାରି ପରେ ରେଭେନ୍ସା କଲେଜରେ ଅଧ୍ୟୟନ କରିଥିଲେ । ପୁଅର ସଫଳତା ପରେ ବେଶ ଉତ୍ସାହିତ ଅଛନ୍ତି ପରିବାରଲୋକେ । ଅଶ୍ୱିନୀ ନିଜର ସଫଳତାର ଶ୍ରେୟ ମା ବାପାଙ୍କୁ ଦେଇଛନ୍ତି । ଦିନକୁ ୮ଘଂଟାର ପରିଶ୍ରମ କରି ଏହି ସଫଳତା ପାଇଛନ୍ତି । ଆଗାମୀ ଦିନରେ ସେ ମହିଳା ସଶକ୍ତିକରଣ କ୍ଷେତ୍ରରେ କାମ କରିବାକୁ ଲକ୍ଷ ରଖିଥିବା କହିଛନ୍ତି ।

ସେହିପରି ଜାରକା କୁମାରୀ ନିବାସୀ ସ୍ତମ୍ଭକାର ତଥା କବି ସଂଗ୍ରାମ ଜେନା ଓ କବିତା ଜେନାଙ୍କର ସୁପୁତ୍ରୀ କଳ୍ପିତା ଜେନା । ଚଳିତ ପରୀକ୍ଷାରେ ୭୮ତମ ସ୍ଥାନ ଅଧିକାର କରି ଜରାକା ଅଂଚଳ ସହ ନିଜ ପରିବାର ପାଇଁ ଗୈାରବ ଆଣି ଦେଇଛନ୍ତି । ଜାରକା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପ୍ରାଥମିକ ଶିକ୍ଷା ସମାପ୍ତିି କରି ପାଣିକୋଇଲି ଜବାହାର ନବୋଦୟ ବିଦ୍ୟାଳୟରୁ ହାଇସ୍କୁଲ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ । ପରେ ରେଭେନସା, ପଣ୍ଡିଚେରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ସ୍ନାତକ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ କୃତିତ୍ୱର ସହିତ ସ୍ନାତୋକତର ପରୀକ୍ଷାରେ ଉତୀର୍ଣ୍ଣ ହୋଇ ପ୍ରାଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ । କଳ୍ପିତା ଏହି ସଫଳତା ପାଇବା ପରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରିଣୀ ହୋଇ ସରକାରଙ୍କ ଯୋଜନାକୁ ସମସ୍ତ ନିକଟରେ ପହଂଚାଇବାକୁ ଲକ୍ଷ୍ୟ ରଖିଛନ୍ତି ।

ଧର୍ମଶାଳା ଅଂଚଳରୁ ଦୁହେଁ ଓଡିଶା ପ୍ରଶାସନିକ ସେବାର ସଫଳତା ପାଇବା ପରେ ବନ୍ଧୁ ଓ ଶୁଭ୍ଛେୁଙ୍କ ନିକଟରୁ ଏବେ ପ୍ରଶଂସା ଓ ଅଭିନନ୍ଦନର ସୁଅ ଛୁଟୁଛି ।

ଯାଜପୁରରୁ ଅବିନେଶ୍ୱର ଶତପଥୀଙ୍କ ରିପୋର୍ଟ , କେନ୍ଯୁଜ୍

Leave A Reply

Your email address will not be published.