ଦୁଇ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍

ଧର୍ମଗଡ଼ : ଗତ ୨୦୧୫ ମସିହାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଆମଜୋର ଗ୍ରାମର ଖଗେଶ୍ବର ରାଉତ ଓ ଗଦାଧର ରଣା ମିଶି ମନୁ ରଣା ନାମକ ବ୍ୟକ୍ତିଙ୍କୁ ହତ୍ୟା କରିବା ନେଇ ଅଭିଯୋଗ ହୋଇଥିଲା । ମନୁ ରଣାକୁ ଗାମୁଛାରେ ତଣ୍ଟିଚିପି ହତ୍ୟା କରିବା ପରେ ନିକଟସ୍ଥ ଶିଶୁ ଘାଟି ଡଙ୍ଗରରେ ଫିଙ୍ଗି ଦେଇଥିଲେ । ଏହି ଘଟଣାକୁ ନେଇ ଆଜି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଜୟପାଟଣା ଥାନା ଅନ୍ତର୍ଗତ ଆମଜୋର ଗ୍ରାମର ମନୁ ରଣା ତାଙ୍କ ଗ୍ରାମରେ ଚୋରା ଦେଶୀ ମଦ ବିକ୍ରି କରିବା ସହ ଗ୍ରାମର ଏକ ପୋଖରୀରେ ମାଛ ଚାଷ କରିଥିଲେ । ଅଭିଯୁକ୍ତ ଗଦାଧର ରଣା ଓ ଖଗେଶ୍ବର ରାଉତଙ୍କ ଚାଷ ଜମି ପୋଖରୀର ଅନ୍ୟ ପାର୍ଶ୍ବରେ ଥିଲା ଓ ଅଭିଯୁକ୍ତମାନେ ପୋଖରୀ ହୁଡାରେ ନିଜ ଜମିକୁ ଯାତାୟତ କରୁଥିଲେ । ପୋଖରୀ ହୁଡାରେ ଯାତାୟତ ନ କରିବା ପାଇଁ ମୃତକ ଜଣକ ଏହି ଦୁଇଜଣଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହିତ ହତ୍ୟା ଧମକ ମଧ୍ୟ ଦେଇଥିଲେ ।
ଏହି ଘଟଣାକୁ ନେଇ ଅଭିଯୁକ୍ତ ଦୁଇ ଜଣ ମନୁ ରଣାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ମନୁ ରଣା ଗତ ୭/୧୦/୨୦୧୫ ତାରିଖ ସକାଳ ୫ଟା ରେ କୁଟୁରୁ ମଦ ଭାଟିକୁ ମଦ ଆଣି ବାକୁ ଯାଇ ଫେରୁଥିବା ବେଳେ ପୁର୍ବ ଯୋଜନା ଅନୁଯାୟୀ ଜଙ୍ଗଲ ପାଖରେ ଜଗି ରହିଥିବା ଦୁଇ ଜଣ ଅଭିଯୁକ୍ତ ମନୁ ରଣାଙ୍କୁ ଗାମୁଛାରେ ତଣ୍ଟିଚିପି ହତ୍ୟାକରି ମାଠିଆ ପଦର ଗ୍ରାମର ଶିଶୁଭାଟି ଡଙ୍ଗରରେ ଫିଙ୍ଗି ଦେଇଥିଲେ ।
ଏହି ଘଟଣାକୁ ନେଇ ମୃତକର ବଡ଼ ଭାଇ କୃପାସିନ୍ଧୁ ରଣା ଜୟପାଟଣା ଥାନାରେ ଏତଲା ଦେଇଥିଲେ l ଜୟପାଟଣା ପୋଲିସ କେସ ନ ୨୮୩ ତାରିଖ ୯/୧୦/୨୦୧୫ ଦଫା ୩୦୨/୨୦୧/ ୩୪ ରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୋୖରା ଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ ଦୁଇ ଅଭିଯୁକ୍ତ ଆଜୀବନ କାରାଦଣ୍ଡ ଶୁଣାଇବା ସହିତ ଦଶ ହଜାର ଟଙ୍କା ଆର୍ଥିକ ଦଣ୍ଡାଦେଶ ଶୁଣାଇଛନ୍ତି ଓ ଜୋରିମାନା ଅର୍ଥ ଜମା ନ କଲେ ଆହୁରି ୬ ମାସ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ପରିଚାଳନା କରୁଥିଲେ ।