ମୋହନା(କେ ନ୍ୟୁଜ): ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁରୁଜୁଳି ପଞ୍ଚାୟତ ଅନ୍ତର୍ଗତ ଚିଡ଼ାଙ୍ଗପଙ୍କା ଗ୍ରାମରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମୋହନା ବନବିଭାଗ ଏବଂ ଅଡବା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗ୍ରାମରେ ଚଢ଼ାଉ କରିଥିଲା । ଏକ କାଠ କରୋଡ଼ ମଧ୍ୟରେ ବଜ୍ରକାପ୍ତାଟିକୁ ରଖାଯାଇଥିଲା । ଉଦ୍ଧାର ବଜ୍ରକାପ୍ତାର ଲମ୍ବ ୪ ଫୁଟ ୨ ଇଞ୍ଚ ହୋଇଥିବା ବେଳେ ବୟସ ପ୍ରାୟ ୪ ବର୍ଷ ହେବ ବୋଲି ବନବିଭାଗ ସୂଚନା ଦେଇଛି ।
ବିକ୍ରି ଉଦ୍ଦେଶ୍ୟରେ ବଜ୍ରକାପ୍ତାଟିକୁ ରଖାଯାଇଥିବା ବନବିଭାଗ ସନ୍ଦେହ କରୁଛି । ଉଦ୍ଧାର ବଜ୍ରକାପ୍ତାଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ବଜ୍ରକାପ୍ତା ରଖିଥିବା ଅଭିଯୋଗରେ ଚିଡ଼ାଙ୍ଗପଙ୍କା ଗ୍ରାମରେ ଦାଦା ପୁତୁରା ଯାକବ ମାଝୀ ଏବଂ ଏସୋ ମାଝୀଙ୍କୁ ଅଟକ ରଖି ବନବିଭାଗ ତଦନ୍ତ ଜାରି ରଖିଛି । ପାରଳାଖେମୁଣ୍ଡି ଏସ୍. ସି. ଏଫ୍ କେ. ଭି ଭାସ୍କର ରାଓ ଘଟଣାର ତଦନ୍ତ କରୁଛନ୍ତି ।