ଶୋଇଥିବା ବେଳେ ଭୟାବହ ଅଗ୍ନିକାଣ୍ଡ: ନିଆଁ ଲାଗି ଜଳିଗଲା ଦୁଇ ବଖରା ଘର ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ

ସୋର : ନିଆଁ ଲାଗି ଦୁଇବ ଖରା ଘର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ବାଲେଶ୍ବର ଜିଲ୍ଲା ସୋର ବ୍ଲକ ତେଣ୍ଟେଇ ପଞ୍ଚାୟତ ଷୋଳଗାଁର ବସନ୍ତ ସେଠୀଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିଲା । ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀକାନ୍ତ ମଳିକ ଓ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।
ଘଟଣାର ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ଦୁଇବଖରା ଘର ସମେତ ନଗଦ ୩୫ ହଜାର ଟଙ୍କା ଓ ୨୦ ଗ୍ରାମ ସୁନା ସହିତ ଆସବାବପତ୍ର ଓ ବର୍ଷଯାକର ଅମଳ ହୋଇଥିବା ଧାନ ପୋଡି ପାଉଁଶ ହୋଇଯାଇଥିଲା । ବସନ୍ତ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।