ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଗଲା ଦୁଇ ଶିକାରୀଙ୍କ ଜୀବନ

ବୌଦ୍ଧ(କେନ୍ଯୁଜ୍): ବୌଦ୍ଧ ରେଞ୍ଜ ଗଣ୍ଡିସର ସେକ୍ସନ ପିପଳମୁଣ୍ଡା ଜଙ୍ଗଲରେ ଅଭାବନୀୟ ଘଟଣା। ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଗଲା ଦୁଇ ଶିକାରୀଙ୍କ ଜୀବନ । ମୃତକ ହେଲେ କୁରୁକୁଜ ଗ୍ରାମର ବଶ୍ୟନନ୍ଦ ଦେହୁରୀ ଓ ରମ୍ଭିକଟା ଗ୍ରାମର କଇରା ବାଘ । ସୂଚନା ଅନୁଯାୟୀ ଆଜି ବାରହା ଶିକାର ପାଇଁ ଦୁଇ ଜଣ ଶିକାରୀ ପିପଳମୁଣ୍ଡା ଜଙ୍ଗଲରେ ଉପରେ ଯାଇଥିବା ୧୧କେଭି ବିଦ୍ୟୁତ ତାରରୁ ଜେଇ ତାର ସଂଯୋଗ କରି ବାରହା ଶିକାର ପାଇଁ ବିଛାଇଥିଲେ । ତେବେ  କୌଣସି ଅସାବଧାନତା ବଶତଃ ଉଭୟେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ଉଭୟଙ୍କ ଜୀବନ ଚାଲିଯାଇଥିଲା।

ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା କିଛି ଲୋକ ତାଙ୍କୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଥାଉକି ଗତକାଲି ବୌଦ୍ଧ ରେଞ୍ଜ ଅନ୍ତର୍ଗତ ଗୌଡ଼ଦେଇ ଜଙ୍ଗଲରୁ ୩ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବନ ବିଭାଗ । ମାତ୍ର ୨୪ ଘଣ୍ଟା ନପୁରୁଣୁ ସେହି ସମାନ ବୌଦ୍ଧ ରେଞ୍ଜରୁ ୨ ଶିକାରୀଙ୍କ ମୃତ୍ୟୁ ହୋଇଛି। ଯାହା ଜଙ୍ଗଲରେ ବ୍ୟାପକ ଅବାଧ ଶିକାର ଚାଲିଥିବା ପ୍ରମାଣ ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.