ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ
ନବରଙ୍ଗପୁର : ଦୁର୍ଘଟଣା ନେଲା ଦୁଇ ଜୀବନ । ସଡକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ କୁଜା ଜାନିଗୁଡା ଛକ ନିକଟରେ ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଦୁଇଜଣ ଚିତ୍ରକୋଟ ଗ୍ରାମର ପୁର୍ଣ ମାଝି ଏବଂ ହେମନ୍ତ ଵାଣୁଆ ବୋଲି ଜଣାପଡିଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ଜଣଙ୍କ ହେଲେ ପୂଜାରୀ ଗୁଡା ଗ୍ରାମର ସନ୍ଦୀପ କୁମାର ଭତ୍ରା ।
ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଅଂଚଳ ଗୁମ୍ମା ପଂଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମର ପୂର୍ଣ୍ଣ ମାଝି ମେଗା ଓ ହେମନ୍ତ ଵାଣୁଆ ଉଭୟ ଏକ ବାଇକ ଯୋଗେ ତେନ୍ତୁଳିଖୁଣ୍ଟି ଗ୍ରାମରୁ ଅଞ୍ଚଳଗୁମ୍ମା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ ଯୋଗେ ପୂଜାରୀ ଗୁଡା ଗ୍ରାମର ସମ୍ବିତ କୁମାର ଭତ୍ରା ଆସୁଥିଲେ । କୁଜା ଜାନିଗୁଡା ଛକ ନିକଟରେ ଦୁଇ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଦୁଇଜଣ ଜଣ ରାସ୍ତା ଏବଂ ଜଣେ ଧାନ କ୍ଷେତ ମଧ୍ୟକୁ ଛିଟିକି ପଡ଼ିଥିଲେ ।
ଏଥିରେ ପୁର୍ଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣା ସ୍ଥଳରେ ମୃତ୍ୟୁ ବରଣ ହୋଇଛି । ଦମକଳ କେନ୍ଦ୍ର କର୍ମଚାରୀଙ୍କ ପକ୍ଷରୁ ଉଭୟ ଗୁରୁତରଙ୍କୁ ଉଦ୍ଧାର କରି ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ହେମନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ଗୁରୁତର ଆହତ ସମ୍ବିତଙ୍କ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଏବଂ ପରବର୍ତୀ ସମୟରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଏନେଇ ତେନ୍ତୁଳିଖୁଣ୍ଟି ଥାନାରେ ଏକ ମାମଲା ରୁଜୁ କରାଯାଇ ଦୁଇଟି ବାଇକକୁ ଜବତ କରାଯାଇଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲୁସ ସୂତ୍ରରୁ ସୂଚନା ମିଳିଛି ।