ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫ଗୁରୁତରଙ୍କ ମଧ୍ୟରୁ ୨ମୃତ

ଭଦ୍ରକ: ପୁଣି ବାଣ ଟ୍ରାଜେଡି । ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ । ୫ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ଦୁଇ ଜଣ ଆଖିବୁଜିଥିବା ସୂଚନା । ଏହିଭଳି ଦୁଃଖଦ ଘଟଣା ଘଟିଛି ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ହଳଦୀଢିଅ ବାଇପାସ୍ ନିକଟରେ ।

ଖବର ମୁତାବକ, ଆଜି ସକାଳ ପ୍ରାୟ ୯:୩୦ ମିନିଟ୍ ସମୟରେ ଏହି ବାଣ କାରଖାନା ଠାରେ ହଠାତ୍ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ ଆଖିପିଛୁଳାକେ ହୁତୁ ହୁତୁ ହୋଇ ଜଳିଉଠିଥିଲା ଗୋଦାମ । ନିମିଷକ ମାଧ୍ୟମରେ ସବୁ ବାଣ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଏପରିକି ବିସ୍ଫୋରଣର ପ୍ରଭାବରେ ପାଖ ଘରେ ଥିବା ଝରକା କାଚ ଭାଙ୍ଗି ରୁଜି ଚୁରମାର ହୋଇଯାଇଥିଲା । ଏହି ଭୟଙ୍କର ବିସ୍ଫୋରଣରେ ସେଠାରେ କାମ କରୁଥିବା ୫ଜଣ ଗୁରୁତର ଆହତ ହୋଇଥିଲେ ।

ତୁରନ୍ତ କାଳ ବିଳମ୍ବ ନକରି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ସହାୟତାରେ ଗୁରୁତର ମାନଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲାବେଳେ ସେମାନଙ୍କ ଅବସ୍ଥା ଉଦବେଗଜନକ ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସବୁଠାରୁ ଦୁଃଖର କଥାରେ ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଜଣେ ଶିଶୁ ଥିବା ଖବର ମିଳିଛି । ଶିଶୁଟିର ନାମ ଏସ କେ ମୁସରା ବୟସ ୧୨ ବର୍ଷ ଏବଂ ଅନ୍ୟ ଜଣେ ମୃତକ ୪୦ ବର୍ଷିୟ ରତି ବିବି ।

ଅନ୍ୟପକ୍ଷେ ଭଦ୍ରକ ଅଗ୍ନିଶମ ବାହିନୀର ଦୁଇ ଗୋଟି ଟିମ୍ ବିସ୍ପୋରଣ ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ । ତେବେ ଏହି ବିସ୍ପୋରଣ କିପରି ଘଟିଲା ଏବଂ ଏହି ବେଆଇନ ବାଣ କାରଖାନାର ମାଲିକ କିଏ ? ତାର ତଦନ୍ତ ପୋଲିସ୍ କରିବ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଏହି ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ ।

ଏପଟେ ଏନେଇ ଖବର ପାଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୌରାଦକ୍ଷ ଗୁଲ ମକ୍କୀ ହବିବ ଭଦ୍ରକ ଡାକ୍ତରଖାନାରେ ପହଞ୍ଚି ଆହତ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଘଟଣାର ତଦନ୍ତ ଦାବି କରିଛନ୍ତି ।

ବାଣ ତିଆରି କାରଖାନାରେ ବିସ୍ଫୋରଣ । ଅକାଳରେ ଚାଲିଗଲା ଦୁଇ ଦୁଇଟା ଜୀବନ । ତେବେ ଏଠାରେ ପ୍ରଶ୍ନ ଉଠୁଛି ପୂର୍ବରୁ ଏଠାରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଅଭିଯୋଗ ସତ୍ୱେ କେମିତି ଚାଲିଥିଲା ବେଆଇନ ବାଣ ଗୋଦାମ? କେମିତି ଏକଥାର ଟେର୍ ପାଇନଥିଲା ସ୍ଥାନୀୟ ପୋଲିସ୍? ଏହି ବେଆଇନ ବାଣ କାରଖାନା କିଏ ଚଲାଇଥିଲା? ଅଘଟଣକୁ ନେଇ କିଏ ରହିବ ଦାୟି? ଏ ସମସ୍ତ ପ୍ରଶ୍ନର ଉତ୍ତର ଉଚିତ୍ ତଦନ୍ତ ପରେ ହିଁ ମିଳିପାରିବ । ତେବେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିଲେ ବି ନା ପ୍ରଶାସନ ଏ ଦିଗରେ କଠୋର ହେଉଛି, ନା ଲୋକେ ସଚେତନ ହେଉଛନ୍ତି । ଯାହାର ଫଳ ସ୍ୱରୂପ ନୀରିହ ଜୀବନ ବାଜି ଲାଗୁଛି ।

ଆହୁରି ପଢନ୍ତୁ: ଲୁଟ ଉଦ୍ୟମରେ ବିଫଳ, ରାଗରେ ମଦ ଦୋକାନ ମାଲିକଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ