ପାଳ ଗଦାରେ ଜୀବନ୍ତ ଜଳିଗଲେ ନାବାଳକ ମାମୁଁ ଭଣଜା

କଣ୍ଟାମାଳ: ନିରବୀ ଯାଇଛି ଗାଁ ଦାଣ୍ଡ । ପୁଅର ମୃତ୍ୟୁରେ ମାଆର କୋଳ ଶୁନ୍ୟ ହୋଇଯାଇଛି । ଏକ ପାଳ ଗଦାରେ ନିଆଁ ଲାଗି ଜୀବନ୍ତ ଜଳିଯାଇଛନ୍ତି ମାମୁଁ ଭଣଜା । ତେବେ ନାବାଳକ ମାମୁଁ ଭଣଜାଙ୍କ ଶୋଚନୀୟ ମୃତ୍ୟୁରେ ସମଗ୍ର ଅଂଚଳରେ ଶୋକ ଦେଖାଦେଇଛି । ଶୀତରୁ ରକ୍ଷା ପାଇବାକୁ ପାଳ ଗଦାରେ ନିଆଁ ଲଗାଇ ଥିଲେ ମାମୁଁ ଭଣଜା । ମାତ୍ର ସେହି ପାଳଗଦାରେ ନିଆଁରେ ହିଁ ଜୀବନ୍ତ ଜଳିଗଲେ ।  ଏହି ଅଭାବନୀୟ ଘଟଣାଟି ଘଟିଛି ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାକିରା ଗ୍ରାମରେ ।

ସବୁଦିନ ପରି ପୁଅ ଖେଳୁଥିଲା ଗାଁ ମୁଣ୍ଡରେ ଥିବା ପାଳ ଗଦା ନିକଟରେ । ହେଲେ ଅଶୁଭ ଶନିବାର ସାନ୍ଧ୍ୟ ଯେ ଶେଷ ସାନ୍ଧ୍ୟ ହେବ କିଏ ଜାଣିଥିଲା । ପାଳ ଗଦା ନିଆଁ ନେଇଛି ଦୁଇ ନିରୀହ ନାବାଳକଙ୍କ ଜୀବନ । ମୃତକ ନାବାଳକ ମାମୁଁ ଭଣଜା ହେଲେ କ୍ରୀଷ୍ଣା ଭୋଇ, ବୟସ ପାଞ୍ଚ ବର୍ଷ ଓ କ୍ରୀଷ୍ଣା ଊର୍ମା ବୟସ ଆଠ ବର୍ଷ । ବସନ୍ତବାହଲ ଗ୍ରାମର ସଂଜିତ ଉର୍ମାଙ୍କ ପୁଅ କ୍ରୀଷ୍ଣା ଊର୍ମା ନିଜ ମାମୁଁ ଘର ବଲାକିରା ଗ୍ରାମକୁ ଆସିଥିଲେ ।

ଶନିବାର ସନ୍ଧ୍ୟା ସମୟରେ ବଲାକୀରା ଗ୍ରାମର ସୁବଳ ଭୋଇଙ୍କ ପୁଅ କ୍ରୀଷ୍ଣା ଭୋଇ ନିଜ ଭଣଜା କ୍ରୀଷ୍ଣା ଊର୍ମାଙ୍କ ସହ ନିଆଁ ପୁଇଁବା ପାଇଁ ଏକ ପାଳ ଗଦାରେ ନିଆଁ ଲଗାଇଥିଲେ । ମାତ୍ର କିଏ ଦେଖିଦେବା ଭୟରେ ସେହି ପାଳ ଗଦା ମଧ୍ୟରେ ପଶି ନିଜକୁ ଲୁଚାଇ ରଖିଥିଲେ । ଏହି ଘଟଣା ସମ୍ପର୍କରେ ଘରର ଅନ୍ୟ କେହି ଜାଣିବା ପୂର୍ବରୁ ପାଳ ଗଦାଟି ସମ୍ପୂର୍ଣ୍ଣ ନିଆଁ ଲାଗିଯାଇଥିଲା । ନିଆଁ ଲିଭିବା ବେଳକୁ ନାବାଳକ ମାମୁଁ ଭଣଜାଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ ପରିବାର ଲୋକେ ।

ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବାଉଁଶୁଣୀ ପୋଲିସ୍ ପହଞ୍ଚି ତଦନ୍ତ କରୁଛି । ସେହିପରି ସାଇଣ୍ଟିଫିକ ଟିମ୍ ଗାଁରେ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

ପରିବାର ଓ ବନ୍ଧୁ ପରିଜନଙ୍କର ଆଖିରୁ ଲୁହ ଶୁଖିନି । ଦୁଇ ନାଵାଲକ ପିଲାଙ୍କ ମୃତ୍ୟୁ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଦୁଇ ଜଣଙ୍କ ନା କ୍ରିଷ୍ଣା ।  କିଏ ଜାଣିଥିଲା ଯେ ଏମାନେ ଏକା ସାଙ୍ଗରେ ଖେଳିବା ବେଳେ ଏମିତି ଜୀବନ ଚାଲିଯିବ । ଅକାଳରେ ଲିଭି  ଯାଇଛି ଦୁଇଟି ଜୀବନ୍ତ ଦୀପ । ଦୁଇ ପିଲାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମଧ୍ୟ ସମବେଦନା ଜ୍ଞାପନ କରିବା ସହ ଉଭୟ ମୃତକ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶୀ ଘୋଷଣା କରିଛନ୍ତି । ସେହିପରି କଣ୍ଟାମାଳ ବିଧାୟକ ମୃତକଙ୍କ ପରିବାର ବର୍ଗକୁ ଭେଟି ସମବେଦନା ଜଣାଇଛନ୍ତି ।

ଏମିତି ବି ଆସେ ମୃତ୍ୟୁ ।  ପିଲାଳିଆମୀ ବୁଦ୍ଧି । ଜଣଙ୍କୁ ପାଞ୍ଚ ବର୍ଷକୁ ଆଉ ଜଣଙ୍କୁ ଆଠ ବର୍ଷ । ଜୀବନ କଣ ଜାଣିବା ପୂର୍ବରୁ ଜୀବନ ଯୁଦ୍ଧରେ ହାରିଗଲେ ଦୁଇ ପିଲା । ଏମାନଙ୍କ ମୃତ୍ୟୁରେ ସାରା ପରିବାରରେ ଖେଳି ଯାଇଛି ଦୁଃଖର କଳା ବାଦଲ । ନିସ୍ତବ୍ଧ ହୋଇଯାଇଛି ପୁରା ଗାଁ ।