ବ୍ରହ୍ମପୁର : ଗଣେଶ ପୂଜା ଭସାଣୀ ବେଳେ ଅଘଟଣ, ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ ପଞ୍ଚମାରେ । ପଞ୍ଚମାର ପାତାଳେଶ୍ବର ପୋଖରୀରେ ପଞ୍ଚମାର ଗଣେଶ ପୂଜା ଭସାଣୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଗାଁର ଅନେକ ଲୋକଙ୍କ ସହ କିଛି ଛୋଟ ପିଲା ମଧ୍ୟ ପୋଖରୀକୁ ଯାଇଥିଲେ ।
ଭସାଣୀ ଶେଷ ହେବା ପରେ ସମସ୍ତେ ନିଜ ନିଜ ଘରକୁ ଯାଇଥିବା ବେଳେ ପୁଣି ପୋଖରୀକୁ ଗାଧୋଇବା ପାଇଁ ଆସିଥିଲେ ପଞ୍ଚମାର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୁଅ ସୌମ୍ୟ ପ୍ରଧାନ ଓ ବିନୋଦ ସେଠୀଙ୍କ ପୁଅ ଆଦିତ୍ୟ ସେଠୀ । ଉଭୟେ ନାବାଳକ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ଖସି ବୁଡ଼ି ଯାଇଥିଲେ । କିଛି ସମୟ ପରେ ସ୍ଥାନୀୟ ଲୋକେ ଏନେଇ ଜାଣିବା ପରେ ଉଭୟ ନାବାଳକକୁ ଉଦ୍ଧାର କରିଥିଲେ ।
ଉଦ୍ଧାର କରିବା ପରେ ପ୍ରଥମେ ଉଭୟଙ୍କୁ ନିକଟରେ ଥିବା ଏକ ଘରୋଇ ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଉଭୟଙ୍କ ମୃତଦେହକୁ ଏମକେସିଜି ମେଡ଼ିକାଲରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ଘଟଣା ପରେ ଗାଁ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।