ମଟର ସାଇକେଲ ପାଇଁ ଦୁଇ ମାସ ଗର୍ଭବତୀ ଥିବା ନବବଧୂକୁ ହତ୍ୟା

ଚାନ୍ଦବାଲି : କାନ୍ଥରୁ ଲିଭିନି ବାହା ଚିତା । ଏବେ ବି କାନ୍ଥରେ ଲେଖା ଅଛି ବିଶ୍ଵରଞ୍ଜନ ସହିତ ଅନୁସ୍ବୟା । ଲେଖା ଲିଭିନି ହେଲେ ଲିଭିଗଲା ନବବଧୂ ଅନୁସ୍ବୟାର ଜୀବନ ଦୀପ । ଅନୁସ୍ବୟା ସ୍ବାମୀଙ୍କ ହାତ ଧରି କେତେ ସ୍ବପ୍ନ ନେଇ ଶାଶୂ ଘରେ ପାଦ ରଖିଥିଲେ । ଭାବିଥିଲେ ସଂସାର ଗଢ଼ିବେ କୁଆଁ କୁଆଁ ଶବ୍ଦରେ ଏ ଘର ପୂରି ଉଠିବ । କିନ୍ତୁ ତା ପୂର୍ବରୁ ସବୁ କିଛି ଶେଷ ହୋଇଗଲା । ଯୌତୁକ ବାବଦକୁ ବାକି ରହିଯାଇଥିଲା ୨୦ ହଜାର ଟଙ୍କା ଆଉ ମୋଟର ସାଇକେଲ । ଯେଉଁଥିପାଇଁ ବାହାଘରର ୮ ଦିନରୁ ଅନୁସ୍ବୟାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଅକଥନୀୟ ନିର୍ଯାତନା । ମଟର ସାଇକେଲ ପାଇଁ ଦୁଇ ମାସ ଗର୍ଭବତୀ ଥିବା ଅନୁସ୍ବୟାଙ୍କ ଜୀବନ ନେବାକୁ ବି ପଛାଇଲେନି ଶାଶୂଘର ଲୋକେ ।

ଗତ ଜୁଲାଇ ୧୨ ତାରିଖରେ  ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅନୁସ୍ବୟା । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ହଟିଆପଡ଼ା ଗାଁର ସ୍ବର୍ଗତ ବୁଦ୍ଧଦେବ ସାହୁଙ୍କ ଝିଅ ଅନୁସ୍ବୟା ସାହୁଙ୍କ ସହ ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହର ଅନ୍ତର୍ଗତ କୃଷ୍ଣପୁର ଗାଁର ଲକ୍ଷ୍ମୀଧର ବେହେରାଙ୍କ ପୁଅ ବିଶ୍ଵ ରଞ୍ଜନ ବେହେରାଙ୍କ ସହିତ ବାହାଘର ହୋଇଥିଲା । ଗତକାଲି ଅନୁସ୍ବୟାଙ୍କ ନଣଦ ଭାଉଜଙ୍କ ଘର ଲୋକଙ୍କୁ ଖବର ଦେିଥିଲେ । ପରେ ଝିଅର ଏପରି ଅବସ୍ଥା ଦେଖି ହତବାକ୍ ହୋଇ ରହିଯାଇଥିଲେ ଅନୁସ୍ବୟାଙ୍କ ମା ଓ ଭାଇ । ପରେ ଅନୁସ୍ବୟାଙ୍କ ମୃତଦେହ ଶାଶୂ ଘରୁ ଉଦ୍ଧାର କରାଯାଇଥିଲା  l ଅନୁସ୍ଵୟା ଜୀବନ ହାରିଥିବା ଶଶୁର ଘର ଲୋକ କହୁଥୁବା ବେଳେ ଝିଅକୁ ମାରି ଦେଇଥିବା ନେଇ ଝିଅର ଘର ଲୋକ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l

ତେବେ ଯୌତୁକ ବାବଦକୁ ଆଉ ୨୦ ହଜାର ଟଙ୍କା ବାକି ରହିଯାଇଥିଲା l ଏଥି ସହିତ ଏକ ମଟର ସାଇକେଲ ମଧ୍ଯ ଦାବି ରହିଥିଲା l ଝିଅର ମା ଦାବି ପୂରଣ ନ କରିବାରୁ ଅନୁସ୍ବୟା ବିବାହର ୮ ଦିନ ପରଠାରୁ ନିର୍ଯ୍ୟାତନାର ଶିକାର ହୋଇଥିଲା ବୋଲି ଝିଅର ମା ଏବଂ ଭାଇ ଅଭିଯୋଗ ଆଣିଛନ୍ତି l ଏସବୁ ଭିତରେ ଅନୁସ୍ବୟା ୨ମାସର ଗର୍ଭବତୀ ଥିବା ମଧ୍ଯ ଏତଲାରେ ଦର୍ଶାଯାଇଛି l  ତେବେ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସ୍ ର ତଦନ୍ତ ପରେ ସମ୍ପୂର୍ଣ୍ଣ ସତ୍ୟ ଜଣା ପଡ଼ିବ l