କେରଳ ଭୂସ୍ଖଳନ: ଦୁଇ ଓଡ଼ିଆ ଡାକ୍ତରଙ୍କ ମିଳୁନି ପତ୍ତା

ଭୁବନେଶ୍ୱର : କେରଳରେ ପ୍ରକୃତିର ମୃତ୍ୟୁ ତାଣ୍ଡବ ଦେଖିବାକୁ ମିଳିଛି । କେରଳ ୱାୟନାଡରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍ ହୋଇଛି । ସକାଳ ସୁଦ୍ଧା ୧୪୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେପଟେ ଭୂସ୍ଖଳନ ପରଠାରୁ ମିଳୁନି ୨ ଓଡିଆ ଡାକ୍ତରଙ୍କ ପତ୍ତା । ବୁଲିବାକୁ ଯାଇଥିଲେ କଟକ ଚୌଦ୍ବାରର ଦୁଇ ଡାକ୍ତର ବନ୍ଧୁ ବିଷ୍ଣୁପ୍ରସାଦ ଚିନ୍ନାରା, ଡାକ୍ତର ସ୍ଵାଧୀନ ପଣ୍ଡା ଓ ବାନ୍ଧବୀ ତଥା ଡାକ୍ତର ସ୍ୱୀକୃତି ମହାପାତ୍ର। ହେଲେ ଘଟିଲା ଭୟଙ୍କର ଦୈବୀଦୁର୍ବିପାକ । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହେଲା । ଆଉ ସେଥିରେ କୁଆଡ଼େ ହଜି ଗଲେ ଦୁଇ ଡାକ୍ତର ବିଷ୍ଣୁ ପ୍ରସାଦ ଓ ସ୍ୱାଧୀନ । ତେବେ ବର୍ତ୍ତି ଯାଇଛନ୍ତି ବିଷ୍ଣୁ ପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ ଏବଂ ଏମାନଙ୍କ ବାନ୍ଧବୀ ତଥା ଡାକ୍ତର ସ୍ୱୀକୃତି ମହାପାତ୍ର । ଦୁଇ ମହିଳାଙ୍କୁ ଉଦ୍ଧାର କରାଯାଇଛି । ତେବେ ସେମାନେ ଆହତ ଥିବା ସହ ମାନସିକ ଆଘାତ ମଧ୍ୟ ପାଇଛନ୍ତି । କେରଳର ଏକ ସହପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ଏପଟେ ଏଯାଏ ବିଷ୍ଣୁ ଓ ସ୍ୱାଧୀନଙ୍କର ପତ୍ତା ମିଳି ନାହିଁ । ତିନି ଜଣ ଯାକ ଡାକ୍ତର ଭୁବନେଶ୍ୱର ହାଇଟେକ ମେଡିକାଲର ।
ଏଭଳି ଖବରକୁ ନେଇ ଚିନ୍ତାରେ ପରିବାର । ୨୬ ତାରିଖରେ ଉଭୟ ପରିବାର ବେଙ୍ଗାଳୁରୁ ବୁଲିବାକୁ ଯାଇଥିଲେ। ସେଠାରୁ ୱାୟନାଡ଼ ଯାଇ ଲିନରାଭିଲ୍ଲାେ ରହିଥିଲେ। ଗତକାଲି ରାତି ପ୍ରାୟ ୨ଟା ବେଳେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଏଥିରେ ହି ୪ ଜଣ ଭାସିଯାଇଥିଲେ । ତେବେ ପ୍ରିୟଦର୍ଶିନୀ ପାଲ ଓ ସ୍ଵୀକୃତି ମହାପାତ୍ରଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ବିଷ୍ଣୁ ପ୍ରସାଦ ଏବଂ ସ୍ଵାଧିନଙ୍କ କୌଣସି ପତ୍ତା ମିଳୁନାହିଁ ।
ଅନ୍ୟପଟେ ପୁଅ ନିଖୋଜ ଥିବା ନେଇ କହିଛନ୍ତି ବିଷ୍ଣୁପ୍ରସାଦଙ୍କ ବାପା ପ୍ରମୋଦ କୁମାର ଚିନ୍ନାରା । ତେବେ ତାଙ୍କ ବୋହୂ ପ୍ରିୟଦର୍ଶିନୀଙ୍କୁକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ବୋହୂ ପ୍ରିୟଦର୍ଶିନୀଙ୍କ ସହ କଥା ହୋଇଛନ୍ତି । ନିଖୋଜ ପୁଅକୁ ଖୋଜି ଆଣିବାକୁ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ବିଷ୍ଣୁପ୍ରସାଦଙ୍କ ବାପା ।