ଦାଦାନ ଖଟିବାକୁ ଯାଇଥିଲେ ହେଲେ ଶବ ହୋଇ ଫେରିଲେ: ତାମିଲନାଡୁର ଏକ ସୂତାକଳରେ ଭୟାଭୟ ଅଗ୍ନିକାଣ୍ଡ, ଦୁଇ ଓଡିଆ ଯୁବକ ମୃତ

ଜଳେଶ୍ବର: ପରିବାର ପ୍ରତିପୋଷଣ ପାଇଁ ଓଡିଶା ରୁ ତାମିଲନାଡୁ ଯାଇଥିଲେ ଦାଦାନ ଖଟିବାକୁ। ମାତ୍ର ସେଠାରେ କମ୍ପାନୀରେ ନିଆଁ ଲାଗି ଲାଗିଯିବାରୁ ଅକାଳରେ ଚାଲିଗଲା ଦୁଇ ଜୀବନ। ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ନୟାବାଲି ଏବଂ ବିଷ୍ନୁପୁର ଗ୍ରାମର ଚାରି ଜଣ ଯୁବକ ପାଠପଢା ଶେଷ ହେବା ପରେ ପରିବାର ପ୍ରତିପୋଷଣ ପାଇଁ ଚାକିରୀ ଅନ୍ବେଷଣରେ ତାମିଲନାଡୁ ଯାଇଥିଲେ। ତାମିଲନାଡୁ ରାଜ୍ୟର କୋଇମ୍ବେଟୁର ଜିଲ୍ଲା ବିର୍ଧୁନଗର ର ଏକ ସୂତା କଳରେ କାର୍ଯ୍ଯ କରୁଥିଲେ । ତେବେ ଗତ ୧୧ ତାରିଖରେ କୌଣସି କାରଣ ବଶତଃ ସୂତାକଳରେ ଭୟାଭୟ ଅଗ୍ନିକାଣ୍ଡ ଘଟିବା ଫଳରେ ସେଠାରେ କାର୍ଯ୍ଯ କରୁଥିବା ୪ ଜଣ ଯୁବକ ଗୁରୁତର ହୋଇଥିଲେ। ୪ ଜଣ ଗୁରୁତରଙ୍କ ମଧ୍ଯରୁ ୨ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଗତକାଲି ୨ ଜଣ ଯୁବକଙ୍କର ତାମିଲନାଡୁର ଏକ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ ହୋଇଛି ।
ମୃତକ ଦୁଇଜଣ ହେଲେ ବାଲିଆପାଳ ବ୍ଲକ ଅନ୍ତର୍ଗତ ନୟାବାଲି ଗ୍ରାମର ରାଜ କିଶୋର ମଙ୍ଗରାଜ ଓ ବିଷ୍ଣୁ ପୁର ଗ୍ରାମର ମୃତ୍ଯୁଞ୍ଜୟ ଗଙ୍ଗାଇ । ପରିବାରର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ପୂରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା। କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ଗାଁ। ମୃତ ରାଜକିଶୋର ଗତବର୍ଷ ବିବାହ କରିଥିବା ବେଳେ ତାଙ୍କର ୩ମାସର ଏକ ଶିଶୁ ମଧ୍ଯ ରହିଛି।
ମୃତକଙ୍କ ପରିବାର ଅତ୍ଯନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି ।ଏହି ଅଞ୍ଚଳର ୪୦ ରୁ ୫୦ଜଣ ଯୁବକ ତାମିଲନାଡୁର ବିଭିନ୍ନ ଘରୋଇ କମ୍ପାନୀରେ କାର୍ଯ୍ଯ କରୁଥିବା ଜଣାପଡିଛି। ତେବେ ଏ ସମ୍ପର୍କରେ ବାଲିଆପାଳ ତହସିଲଦାରଙ୍କୁ ଯୋଗାଯୋଗ କରିବାରୁ ସରକାରୀ ସ୍ତରରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।