ଡକାୟତି କରି ଖସିଯିବା ସମୟରେ ଦୁଇଜଣଙ୍କୁ କାବୁ କଲେ ଅଞ୍ଚଳବାସୀ, ତଦନ୍ତ କରୁଛି ପୋଲିସ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ରାମପୁର ଅରିଗାଁ ମୁଖ୍ୟରାସ୍ତା ବାଗଡିଆ ଛକ ନିକଟରେ ଡକାୟତି କରି ଫେରାର ମାରୁଥିବା ସମୟରେ ଦୁଇଜଣ ବ୍ୟକ୍ତିଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ । ଡକାୟତି କରିବା ପାଇଁ ଚାରିଜଣ ଯୁବକ ବାଇକରେ ଆସିଥିଲେ । କିନ୍ତୁ ଗ୍ରାମବାସୀ ଦୁଇଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ଓ ଅନ୍ୟ ଦୁଇଜଣ ଡକାୟତ ଫେରାର ମାରିଥିବା ସୂଚନା ମିଳିଛି । ବିନିକା ଥାନା ଦେଣ୍ଡୁପଦର ରାସ୍ତାର ନିଆଁଖାଇ ନାଳ ପାଖରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଆଣିବା ପାଇଁ ଶ୍ବଶୁର ଘର ସୀଙ୍ଘିଯୁବାକୁ ଯାଉଥିଲେ । ଏହି ସମୟରେ ନିଛାଟିଆ ରାସ୍ତା ଦେଖି ଚାରିଜଣ ଯୁବକ ବାଇକରେ ଆସି ତାଙ୍କୁ ଅଟକାଇଥିଲେ । ତାଙ୍କ ସାର୍ଟକୁ ଟାଣି ଚିରିଦେଇ ତାଙ୍କ ପାଖରେ ଥିବା ଏକ ମୋବାଇଲ ଫୋନ ଓ ନଗଦ ୨୭୦୦ ଟଙ୍କା ନେଇଯାଇଥିଲେ । ଏନେଇ ବ୍ୟକ୍ତି ଜଣକ ବିରୋଧ କରିବାରୁ ତାଙ୍କ ମୁଣ୍ଡ ପଛକୁ ଜୋରରେ ଆଘାତ କରିଥିଲେ ଡକାୟତ । ଫଳରେ ବ୍ୟକ୍ତି ଜଣକ ଚେତା ଶୂନ୍ୟ ହୋଇ ତଳେ ପଡ଼ିଯାଇ ଥିଲେ ।
କୌଣସି ସୂତ୍ରରୁ ଖବର ପାଇ ଲୋକମାନେ ସେଠାରେ ପହଞ୍ଚି ଡକାୟତମାନଙ୍କୁ ବଗଡିଆ ଛକ ନିକଟରୁ କାବୁ କରିବାରେ ସଫଳ ହୋଇଥିଲେ । କିନ୍ତୁ ଦୁଇଜଣ ଡକାୟତ ଫେରାର ହୋଇଯାଇ ଥିଲେ । ଲୁଟ ହୋଇଥିବା ବ୍ୟକ୍ତି ହେଉଛନ୍ତି ବରଗଡ ଜିଲ୍ଲା ଭେଡେନ ଥାନା କୁବେଡେଗା ଗାଁର ସୁମନ୍ତ ବେହେରା । ଘଟଣା ସ୍ଥଳରେ ଶତାଧିକ ଲୋକଙ୍କ ଭିଡ଼ରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟଲୋକେ କାବୁ କରିଥିବା ଦୁଇଜଣ ଡକାୟତଙ୍କୁ ବିନିକା ଥାନାକୁ ଆଣି ପଚରା ଉଚୁରା କରୁଥିବା ଜଣାପଡିଛି ।
ବିନିକା ଅଞ୍ଚଳରେ ପ୍ରତ୍ୟେକ ଦିନ ଏଭଳି ଅସାମାଜିକ ବ୍ୟକ୍ତିମାନେ ନିଶା ଦ୍ରବ୍ୟ ବ୍ୟବହାର କରି ସନ୍ଧ୍ୟା ହେଲେ ଚୋରି ଡକାୟତି ରାହାଜାନୀ କରୁଛନ୍ତି । ଅଞ୍ଚଳରେ ଧିରେ ଧିରେ ଚୋରି ଡକାୟତି ବୃଦ୍ଧି ହେଉଥିବାରୁ ସନ୍ଧ୍ୟା ହେଲେ ଲୋକମାନେ ଯାତାୟାତ କରିବା ପାଇଁ ନିରାପଦ ମଣୁ ନାହାନ୍ତି l