ମାମୁଁ ଘର ଦାଣ୍ଡରେ ଖେଳୁଥିଲେ ଦୁଇ ଭଉଣୀ, ପୋଖରୀରେ ବୁଡି ଜୀବନ ଗଲା

ବାସୁଦେବପୁର : ବୁକୁଫଟା କାନ୍ଦରେ କମ୍ପୁଛି ହସ୍ପିଟାଲ ପରିସର । ଦୁଇ ଭଉଣୀଙ୍କ ମରଶରୀରକୁ ଧରି କାନ୍ଦୁଛନ୍ତି ମା’ ଆଉ ପରିବାର ବର୍ଗ । ସମସ୍ତଙ୍କ ମୁହଁ ଶୁଖିଯାଇଛି କୋହ ସମ୍ଭାଳି ପାରୁ ନାହାଁନ୍ତି । ଆଖିରୁ ଝରିପଡ଼ୁଛି ଧାର ଧାର ଲୁହ । ହେ ପ୍ରଭୁ ଏ କଣ ଘଟିଗଲା ? ଏମିତି କଣ କାହାର ଜୀବନ ଚାଲିଯାଏ ? ମାଆ ବାପାଙ୍କ ସହିତ କେତେ ଖୁସିରେ ମାମୁଁ ଘର ଯାଇଥିଲେ ଦୁଇ ଭଉଣୀ ହେଲେ ବିଧିର ଲେଖା କିଛି ଅଲଗା ଥିଲା । ଆଜି ଗୋଟାଏ ମା କୋଳ ଖାଲି ହୋଇଗଲା । ପୋଖରୀରେ ବୁଡି ଚାଲିଗଲା ଦୁହିଁଙ୍କ ଜୀବନ । ହାତ ଧରାଧରି ହୋଇ ଚାଲିଗଲେ ଦୁଇ ଭଉଣୀ । ଲାଗୁଛି ସତେ ଯେମିତି କାଳ ଆସି ଦୁଇ ଭଉଣୀଙ୍କୁ ହାତ ଧରି ନେଇଗଲା ।

ସମୟ ପ୍ରାୟ ଗୋଟାଏ ହେବ । ମାମୁଁ ଘର ଦାଣ୍ଡରେ ଖେଳୁଥିଲେ ଦୁଇ ଭଉଣୀ । ଖେଳୁ ଖେଳୁ ହଠାତ୍ ପୋଖରୀ ଆଡ଼କୁ ହାତ ଧରା ଧରି ହୋଇଯାଇଥିଲେ । ତା’ ପରେ ଘଟିଗଲା ଏତେ ବଡ଼ ଅଘଟଣ । ପରିବାର ଲୋକେ ଛୁଆ ଦୁଇଟାକୁ ଖୋଜିଲା ବେଳକୁ ପୋଖରୀ ପାଣିରେ ହାତ ଧରା ଧରି ହୋଇ ଭାସୁଛନ୍ତି ଦୁଇ ଭଉଣୀ ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ କିସ୍ମତକୃଷ୍ଣପୁର ଗାଁରେ ପୋଖରୀରେ ପଡି ଦୁଇ ଭଉଣୀ ଜୀବନ ଚାଲିଯାଇଛି । ମୃତ ଦୁଇ ଭଉଣୀ ହେଉଛନ୍ତି ଚାନ୍ଦବାଲି ବ୍ଲକ କାରଣପଲ୍ଲୀ ଗାଁର ରତନ ମଣ୍ଡଳଙ୍କ ୫ ବର୍ଷର ଝିଅ ଚାନ୍ଦିନୀ ଓ ୪ ବର୍ଷର ଝିଅ ନନ୍ଦିନୀ । ରତନ ତାର ଦୁଇ ଝିଅ ସହିତ ସ୍ତ୍ରୀ କୁ ଧରି କୃଷ୍ଣପୁର ଶଶୁର ଘର ପୂର୍ଣଚନ୍ଦ୍ର ଦାସଙ୍କ ଘରକୁ ଆସିଥିଲେ । ହେଲେ ଦୁଇ ଭଉଣୀ ଖେଳୁଥିବା ସମୟରେ କୌଣସି କାରଣ ବଶତଃ ଘର ନିକଟରେ ଥିବା ପୋଖରୀରେ ପଡିଯାଇଥିଲେ।

ଦୀର୍ଘ ସମୟ ଧରି ଦୁଇ ଭଉଣୀକୁ ଖୋଜା ଖୋଜି କରି ନପାଇବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ । ପରେ ବହୁ ଖୋଜା ଖୋଜି କରି ଦେଖିବାକୁ ପାଇଥିଲେ ପୋଖରୀରେ ଦୁଇ ଭଉଣୀ ହାତ ଧରାଧରି ହୋଇ ପାଣିରେ ବୁଡି ଯାଇଛନ୍ତି । ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇ ଆସିଥିଲେ । ହେଲେ ସେଠାରେ ଡାକ୍ତର ଦୁଇ ଭଉଣୀକୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଏହି ଘଟଣାକୁ ନେଇ ପୁରା ଗାଁ ରେ ଶୋକାକୁଳ ପରିବେଶ ଛାୟା ଖେଳିଯାଇଥିବା ବେଳେ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

Also Read:ପୋଖରୀରେ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ, ବୁଲି ଆସିଥିଲେ ମାମୁଁଘର