ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ, କହିଲେ କାହିଁକି ମାଓ ସଙ୍ଗଠନରେ ହୋଇଥିଲେ ସାମିଲ ?

ବରଗଡ଼: ଲଗାତାର ବ୍ୟାପକ ସର୍ଚ ଅପରେସନ ଏବଂ ଗୁଳିବିନିମୟ ପରେ ପୋଲିସ ପାଇଲେ ସଫଳତା । ଯେଉଁ ଦୁଇ ମାଓବାଦୀଙ୍କ ମୁଣ୍ଡରେ ଲକ୍ଷାଧିକ ଟଙ୍କାର ଇନାମ ରଖାଯାଇଥିଲା, ସେହି ଦୁଇ ହାର୍ଡକୋର ମାଓବାଦୀ ଆସି କରିଛନ୍ତି ଆତ୍ମସମର୍ପଣ । ଦୁଇ ଦୁଇ ହାର୍ଡ କୋର୍ ମାଓବାଦୀଙ୍କ ମଧ୍ୟରୁ ଜଣେ ମହିଳା ମାଓବାଦୀ ରହିଛନ୍ତି । ତେବେ ଏରିଆ କମିଟି ମେମ୍ବର (ACM) କେଡରର ୩୫ ବର୍ଷୀୟା ମହିଳା ମାଓବାଦୀ ଆମିଲା ଓରଫ୍ ପୂଜା ତାଟି ଯାହାର ମୁଣ୍ଡରେ ସରକାର ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ସେ ଆଜି ମାଓବାଦୀ ସଂଗଠନ ଛାଡି ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିଛନ୍ତି ।
ମହିଳା ମାଓବାଦୀ ଜଣକ ଛତିଶଗଡ଼ ବିଜାପୁର ଜିଲ୍ଲା ଗଙ୍ଗଳୁର ଥାନା ଅନ୍ତର୍ଗତ ପର୍ଣ୍ଣାଲ ଗାଁର । ୨୦୧୦ ମସିହାରୁ ମହିଳା ମାଓବାଦୀ ଜଣକ ଗନ୍ଧମାର୍ଦ୍ଧନ ପାହାଡ଼ ଇଲାକା ବରଗଡ଼ ଓ ବଲାଙ୍ଗିର ଜିଲ୍ଲାରେ ସକ୍ରୀୟ ରହିଥିବା ବେଳେ ବରଗଡ଼ ଜିଲ୍ଲାରେ ୩୫ ଗୋଟି ମାଓ କାରନାମାରେ ସାମିଲ ଥିବା ନେଇ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି l
ସେହିପରି ୩୧ ବର୍ଷିୟ ରଘୁ ଓରଫ୍ ସୈତୁ ପଦମ୍ ମାଓବାଦି ସଙ୍ଗଠନରେ ଯୋଗଦେଇ ୨୦୧୨ ମସିହାରୁ ଗନ୍ଧମାର୍ଦ୍ଧନ ପାହାଡରେ ସକ୍ରିୟ ଥିଲା । ରଘୁ ମଧ୍ୟ ଏରିଆ କମିଟି ମେମ୍ବର (ACM) କେଡର ର ବରଗଡ ବଲାଙ୍ଗିର ମହାସମୁନ୍ଦ ଡିଭିଜନ ଅଫ ମାଓଇସ୍ଟ ସଂଗଠନରେ ଥିଲେ । ରଘୁଙ୍କ ନାମରେ ବରଗଡ ଜିଲ୍ଲାର ଅନେକ ଥାନାରେ ଗୋଟେ ହତ୍ୟା ମାମଲା ସହିତ ୮ ଗୋଟି ଭିନ୍ନ ମାମଲା ରହିଥିବାବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଅନେକ ମାମଲା ରହିଛି ।
ତେବେ ମାଉବାଦୀଙ୍କ ଆତ୍ମ ସମର୍ପଣକୁ ନେଇ ବରଗଡ଼ ଜିଲ୍ଲା ପୋଲିସ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଆଇ. ଜି ହିମାଂଶୁ ଲାଲ ମାଓବାଦୀ ମାନଙ୍କୁ ମୂଖ୍ୟ ସ୍ରୋତ ରେ ସାମିଲ ହୋଇ ହିଂସା ର ରାସ୍ତା ଛାଡ଼ି ଦିଅନ୍ତୁ ନ ହେଲେ ସମାପ୍ତ ହୋଇଯିବେ ବୋଳି ସ୍ପଷ୍ଟ କରିଛନ୍ତି । ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଥିବା କହିଛନ୍ତି ।ଅନ୍ୟପଟେ ଆତ୍ମସମର୍ପଣ କରିଥିବା ଉଭୟ ମାଓବାଦୀ ମାନେ ମଧ୍ୟ ନିଜର ଅନ୍ୟ ମାଓସାଥୀ ମାନଙ୍କୁ ଆତ୍ମସମର୍ପଣ କରିବାକୁ ଅପିଲ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଇଥିବା ବିଭିନ୍ନ ଯୋଜନାର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି ।
ତେବେ ମହିଳା ମାଓବାଦୀ ପୂଜା କାହିଁକି ମାଓ ସଙ୍ଗଠନରେ ସାମିଲ ହୋଇଥିଲେ ?
ଆତ୍ମସମର୍ପଣ କରିଥିବା ୩୫ ବର୍ଷୀୟା ମହିଳା ମାଓବାଦୀ ପୂଜାଙ୍କ କହିବା ଅନୁଯାୟୀ ସେ ଯେତେବେଳେ ୧୨ ବର୍ଷର ହୋଇଥିଲେ ତାଙ୍କ ଗାଁରେ ଜାତିବାଦକୁ ନେଇ ନାନା ଅତ୍ୟାଚାର କରାଯାଉଥିଲା । ଛୋଟ ଜାତି ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଅସହ୍ୟ ହୋଇପଡିଥିଲା ଏବଂ ପୂଜାଙ୍କ ପରିବାର ମଧ୍ୟ ଏହି ଜାତିବାଦ ଚିନ୍ତାଧାରାରେ ଅତ୍ୟାଚାରିତ ହୋଇଥିଲେ । ଗର୍ଭବତୀ ଥିବା ପୂଜାଙ୍କ ବଡ ଭଉଣୀଙ୍କୁ ସେହି ଗାଁର ଗଉନ୍ତିଆ ପରିବାରର ବଡ ଜାତିର ଲୋକେ ଛୁରୀ ଭୁସି ହତ୍ୟା କରିଥିଲେ । ସେତେବେଳେ ପୂଜା ଛୋଟ ଥିଲେ ସେହି ଘଟଣା ତାଙ୍କ ହୃଦୟକୁ ଦୋହଲାଇ ଦେଇଥିଲା । ସେହି ଦିନଠାରୁ ସେ ଗାଁର ବଡବଡିଆ ଲୋକଙ୍କ ବିରୋଧରେ ଲଢିବାକୁ ମନସ୍ଥ କରିଥିଲେ ଓ ଶେଷରେ ସେ ଖୁବ କମ ବୟସରୁ ମାଓବାଦୀରେ ସାମିଲ ହୋଇଯାଇଥିଲେ । ଛୋଟ ଜାତିର ଲୋକଙ୍କୁ କରାଯାଉଥିବା ଅନ୍ୟାୟ ଅତ୍ୟାଚାର ଓ ବାଛ ବିଚାର ସହିତ ଗରିବାଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଲଢିବା ଉଦ୍ଦେଶ୍ୟରେ ପୂଜା ମାଓବାଦୀ ରେ ସାମିଲ ହୋଇଥିବା ଜଣାଇଛନ୍ତି ।
ତେବେ ଆପଣ ଭାବୁଥିବେ ଦୀର୍ଘ ବର୍ଷ ଧରି ମାଓବାଦୀ ସଙ୍ଗଠନରେ କାମ କରିବା ପରେ ଆତ୍ମସମର୍ପଣ କଲେ କାହିଁକି ?
ମାଓସଙ୍ଗଠନରେ ଦୀର୍ଘ ବର୍ଷ ଧରି କାମ କଲାପରେ ସେଠାରେ ମଧ୍ୟ ସେହି ଜାତିବାଦକୁ ନେଇ ପାତର ଅନ୍ତର , ଶାରୀରିକ ଓ ମାନସିକ ଭାବେ ଅନ୍ୟାୟ ଅତ୍ୟାଚାରକୁ ଅଙ୍ଗେ ନିଭାଇବା ସହିତ ନିର୍ଦୋଷଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରିନପାରି ପୁଣି ସମାଜର ମୁଖ୍ୟ ସ୍ରୋତରେ ଫେରି ଆସିବାକୁ ଇଚ୍ଛା କରିଥିଲେ ମହିଳା ମାଓବାଦୀ ଆମିଲା ଓରଫ୍ ପୂଜା ତାଟି । ମାଓ ସଙ୍ଗଠନରେ ସକ୍ରିୟ ସଦସ୍ୟଙ୍କ କାର୍ଜ୍ୟାକଳାପ ଓ ବରିଷ୍ଠତାକୁ ଆଧାର କରି ପ୍ରୋମୋଶନ ମଧ୍ୟ କରାଯାଇଥାଏ ମାତ୍ର ଖୁବ ସକ୍ରିୟ ଥିବା ସତ୍ବେ ନିମ୍ନ ଜାତିର ହୋଇଥିବାରୁ ମାଓସଙ୍ଗଠନରେ ମଧ୍ୟ ଅଣଦେଖା କରାଯାଇ ପ୍ରୋମୋଶନ କରାନଯିବା ମହିଳା ମାଓବାଦୀ ଆମିଳା ଓରଫ ପୂଜାକୁ ଖୁବ୍ ବାଧିଥିଲା । ଅନ୍ୟପଟେ ଗନ୍ଧମାର୍ଦନ ପାହାଡର ଘଞ୍ଚ ଜଙ୍ଗଲରେ ବିଗତ ୬ ମାସ ଭିତରେ ଲଗାତାର ପୋଲିସର କୋମ୍ବାଇନ ଅପରେସନ ଓ ଗୁଳିବିନିମୟ ଯୋଗୁଁ କେମ୍ପ ଛାଡି ପଛଘୁଞ୍ଚା ଦେବାକୁ ପଡୁଥିଲା ମାଓବାଦୀ ମାନଙ୍କୁ । ଘଞ୍ଚ ଜଙ୍ଗଲ ଭିତରେ କୌଣସି ଠିକଣାରେ ସେମାନେ ସ୍ଥାୟୀ ଭାବେ କେମ୍ପ କରିପାରୁନଥିଲେ ଓ ପୋଲିସ ର ନଜରରେ ଆସିଯାଉଥିଲେ ଏବଂ ପୋଲିସ ସହିତ ଗୁଳିବିନିମୟରେ ଛତ୍ରଭଙ୍ଗ ଦେବାକୁ ପଡୁଥିଲା । ଅନ୍ୟପଟେ ଓଡିଶା ସରକାର ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଅପିଲ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଯେଉଁ ସବୁ ଯୋଜନା କରିଛନ୍ତି ତାହା ଉତ୍ତମ ଜୀବନଯାପନ ପାଇଁ ଯଥେଷ୍ଟ ଥିବାରୁ ସେ ନିଜକୁ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ଶେଷରେ ଓଡିଶାର ବରଗଡ ଜିଲ୍ଲା ପୋଲିସ ବିଭାଗରେ ୩୦ ତାରିଖରେ ଆତ୍ମସମର୍ପଣ କରିଥିଲେ ।
ଆତ୍ମସମର୍ପଣ କଲେ ମାଓବାଦୀଙ୍କ ପାଇଁ କଣ ରହିଛି ସରକାରଙ୍କ ସୁବିଧା ?
ମାଓବାଦି ସଙ୍ଗଠନରେ ସାମିଲ ହୋଇଥିବା ପୁରୁଷ ମାଓବାଦୀ କିମ୍ବା ମହିଳା ମାଓବାଦୀମାନେ ନିଜକୁ ଆତ୍ମସମର୍ପଣ କଲେ ଓଡିଶା ସରକାରଙ୍କ ପକ୍ଷରୁ ଅନେକ ଯୋଜନା ରହିଛି । କେଟାଗୋରୀ 1 , କେଟାଗୋରୀ 2 A , କେଟାଗୋରୀ 2 B , ଆଦି ବିଭିନ୍ନ କେଡର ଅନୁଯାୟୀ ଆତ୍ମସମର୍ପଣ ପରେ ତାଙ୍କୁ ସରକାରଙ୍କ ସେହି ସୁବିଧା ମିଳିବ । ତେବେ ବରଗଡ ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ଉଭୟ ମାଓବାଦୀଙ୍କୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ନଗଦ ଦିଆଯିବାର ବ୍ୟବସ୍ଥା ରହିଛି । ପ୍ରତିମାସରେ ୧୦ ହଜାର ଟଙ୍କା ଲେଖାଏ ଷ୍ଟାଇପେନ ଆକାରରେ ୩ ବର୍ଷ ପର୍ଯ୍ୟନ୍ତ ପାଇପାରିବେ । ଘର ପାଇଁ ଜମି ବାବଦକୁ ୨୫ ହଜାର ଟଙ୍କା ପାଇପାରିବେ । ଘର ନିର୍ମାଣ ପାଇଁ ୪୫ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପାଇପାରିବେ । ବିବାହ ପାଇଁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା । ପାଠପଢା ପାଇ ମାସକୁ ୩ ହଜାର ଟଙ୍କା ଲେଖାଏ ୩ ବର୍ଷ ପର୍ଯ୍ୟନ୍ତ ସରକାର ଯୋଗେଇଦେବାର ବ୍ୟବସ୍ଥା ରହିଛି ।