ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ଡ୍ରାଇଭର ମୃତ
ଯାଜପୁର : ଦୁଇ ଟ୍ରକ ମୁହାଁମୁହିଁ ଧକ୍କା । ଯାଜପୁର ରୋଡ ୧୬ ନଂ ଜାତୀୟ ରାଜପଥ ପାଣିକୋଇଲି ଥାନା ସାହାପୁର ବ୍ରିଜ ଉପରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଘଟଣାସ୍ଥଳରେ ଜଣେ ଡ୍ରାଇଭରର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣକ ଏବେବି ଟ୍ରକ ଭିତରେ ଚାପି ହୋଇ ରହିଛନ୍ତି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ ଜାତୀୟ ରାଜପଥର ସାହାପୁର ନିକଟ ଖରସ୍ରୋତା ନଦୀ ବ୍ରିଜ ମରାମତି ନିମନ୍ତେ ଗୋଟିଏ ପାର୍ଶ୍ୱ ରାସ୍ତା ବନ୍ଦ ରଖାଯାଇ ଅନ୍ୟ ଗୋଟିଏ ପାର୍ଶ୍ୱରେ ଗାଡ଼ି ଚଳାଚଳ କରାଯାଉଥିଲା । ତେବେ ଆଜି ସକାଳୁ ଖରସ୍ରୋତା ନଦୀ ବ୍ରିଜ ଉପରେ ଏକ ଫଳ ବୋଝେଇ ଟ୍ରକ ସହ ଏକ ଟାଗଲ୍ ବୋଝେଇ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲ । ଫଳରେ ଜଣେ ଟ୍ରକ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଚାଳକ ଚାପିହୋଇ ରହିଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ଉଭୟ ପାର୍ଶ୍ଵରେ ହଜାର ହଜାର ଗାଡ଼ି ଅଟକି ରହିଛନ୍ତି ।