ବର୍ତ୍ତମାନ ସମୟରେ ଟଙ୍କା ବିନା ଆପଣ ଘରୁ ବାହାରି ପାରିବେନି । ଟଙ୍କା ନହେଲେ ଗୋଟାଏ ଜିନିଷରେ ବି ହାତ ଦେଇ ପାରିବେନି । କିନ୍ତୁ ଆମ ରାଜ୍ୟରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଆପଣ ଟଙ୍କା ବିନା ବି ଜିନିଷ ପାଇ ପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ଦେବାକୁ ପଡ଼ିବ ଧାନ ଚାଉଳ । ଧାନ ଚାଉଳ ବଦଳରେ ପରିବା ଠାରୁ ଆରମ୍ଭ କରି ଲୁଗାପଟା ପର୍ଯ୍ୟନ୍ତ ସବୁ କିଛି ପାଇପାରିବେ ଆପଣ । ସ୍ବାଧୀନତା ପୂର୍ବର ଏଭଳି ଚଳପ୍ରଚଳ ପ୍ରକ୍ରିୟା ଚାଲୁଥିଲା । କିନ୍ତୁ ଏବେ ବି ଏହି ପ୍ରକ୍ରିୟାକୁ କିଛି ଲୋକ ବଞ୍ଚାଇ ରଖିଛନ୍ତି । ଏପରି ଏକ ଗାଁ ଅଛି ଯେଉଁଠି ଟଙ୍କା ନୁହେଁ ଜିନିଷ ଦେଲେ ଆପଣ ନିଜ ଆବଶ୍ୟକତା ଅନୁସାରେ ଜିନିଷ ପାଇପାରିବେ ।
ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକର ରଙ୍ଗାମାଟିଆ ପଞ୍ଚାୟତରେ ରୁହନ୍ତି ପ୍ରାୟ ୧୨ ହଜାରରୁ ଉର୍ଦ୍ଧ୍ବ ଲୋକ । ଆଉ ଏଠାରେ ଚାଲିଛି ସାପ୍ତାହିକ ରଙ୍ଗାମାଟିଆ ହାଟ । ଶନିବାର ଅପରାହ୍ନ ହେଲେ ଏହି ହାଟରେ ଗ୍ରାହକଙ୍କ ଭିଡ ଜମେ । କାହିଁକି ନା ଏଠାକାର ଲୋକେ ଟଙ୍କା ଉପରେ ନିର୍ଭର କରନ୍ତି ନାହିଁ । କେହି ବି ଟଙ୍କା ନେଇ ହାଟକୁ ଆସନ୍ତି ନାହିଁ । ଲୋକମାନେ ଧାନ ନେଇ ଆସନ୍ତି ଆଉ ହାଟରୁ ସଉଦା ନେଇ ଘରକୁ ଯାଇଥାନ୍ତି । ଏଠାରେ ଚାଲେ ଅଦଳ ବଦଳ ପ୍ରକ୍ରିୟା । ଆପଣ ଛୋଟବେଳେ ବହିରେ ଅଦଳ ବଦଳ ପ୍ରକ୍ରିୟା ବିଷୟରେ ନିଶ୍ଚିତ ପଢିଥିବେ । ଜିନିଷ ଦିଅ ଜିନିଷ ନିଅ । ସେହି ପ୍ରଥା ଆଜି ମଧ୍ୟ ଏଠାରେ ଚାଲୁଛି । ଏହି ଅଞ୍ଚଳରେ ବ୍ୟାଙ୍କ ଥିଲେ ମଧ୍ୟ ସେଠାରେ ଗ୍ରାହକଙ୍କ ଭିଡ ନାହିଁ । ସବୁ ମିଳୁଛି ବଦଳରେ । ପନି ପରିବା ଠାରୁ ଆରମ୍ଭ କରି ଲୁଗା ପର୍ଯ୍ୟନ୍ତ ସବୁ ବଦଳରେ ମିଳିଯାଏ । ଧାନ ଓ ଚାଉଳ ଆଣିଲେ ମିଳିଯାଏ ସବୁକିଛି । ନା ଏଠାରେ ଅଛି ନିକିତି ନା ଅଛି ଓଜନର ଚିନ୍ତା । କେବଳ ଭାଗରେ ହିଁ ଚାଲିଛି ସବୁକିଛି ।
ତେବେ କେବଳ ଗ୍ରାହକ ନୁହନ୍ତି ବ୍ୟବସାୟୀମାନେ ମଧ୍ୟ ବେସ ଖୁସି ଅଛନ୍ତି ଏଭଳି ବେପାର କରି । କିଏ ଧାନ ଚାଉଳ କିଣି ଘରେ ବ୍ୟବହାର କରୁଛି ତ ଆଉ କିଏ ପୁଣି ଧାନ ଚାଉଳକୁ ଅନ୍ୟତ୍ର ବିକ୍ରି କରି ପୁଣି ଜିନିଷ ଆଣି ବେପାର କରୁଛି । ବ୍ୟବସାୟୀଙ୍କ କ୍ଷେତ୍ରରେ ମଧ୍ୟ ଟଙ୍କାର ଲୋଭ ନାହିଁ ।
ଏଭଳି ପ୍ରଥା ଆଜି ପର୍ଯ୍ୟନ୍ତ ପ୍ରଚଳିତ ଥିବା ନିଶ୍ଚିତ ଭାବେ ଅଶ୍ଚର୍ଯ୍ୟଜନକ । ଟଙ୍କା ବିନା ଆମେ ବଞ୍ଚିବା ମୁସ୍କିଲ ହୋଇ ପଡ଼ୁଥିବାବେଳେ ଏମାନଙ୍କର ଟଙ୍କା ପ୍ରତି ମୋହମାୟା କିଛି ବି ନାହିଁ । କାହିଁକି ନା ଏମାନେ ଜାଣିଛନ୍ତି ନିଜ ପରିଶ୍ରମରେ ଉପାର୍ଜନ କରିଥିବା ଧାନ ଚାଉଳ ଏମାନଙ୍କ ଆବଶ୍ୟକତା ପୂରଣ କରିବାକୁ ଯଥେଷ୍ଟ ।