କଣ୍ଟାବାଞ୍ଜି ଅଞ୍ଚଳରେ ଅସହ୍ୟ ଗ୍ରୀଷ୍ମପ୍ରବାହ, ଜନଜୀବନ ଅସ୍ତବ୍ୟସ୍ତ

ଗ୍ରୀଷ୍ମ ଆରମ୍ଭରୁ ହିଁ ଦିନକୁ ଦିନ ବଢିବାରେ ଲାଗିଛି ଖରାର ତାତି । ପ୍ରତିଦିନ ପାରଦ ବଢିବାରେ ଲାଗିଛି । ମଧ୍ୟାହ୍ନ ସମୟରେ ବଜାର ଘାଟ ଶୂନଶାନ ହୋଇଯାଉଛି । ଫଳରେ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଗ୍ରୀଷ୍ମ ଆରମ୍ବରୁ ପ୍ରବଳ ଖରା ପାଇଁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ । ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ଗୁଳୁଗୁଳି ଓ ଖରା ସତ୍ୱେ ଅତ୍ୟବଶ୍ୟକ କାମ ପାଇଁ ଲୋକେ ପଦାକୁ ଗୋଡ କାଢ଼ୁଛନ୍ତି ।

ଖରାର ପ୍ରକୋପ ଧୀରେ ଧୀରେ ବଢ଼ିବାରେ ଲାଗିଛି କଣ୍ଟାବାଞ୍ଜି ସହର ତଥା ଅଖପାଖ ଗ୍ରାମାଞ୍ଚଳରେ । ତାତି ଯୋଗୁଁ ଅଞ୍ଚଳର ଲୋକେ ହନ୍ତସନ୍ତ ହୋଇପଡୁଛନ୍ତି । ଦିନରେ ପ୍ରବଳ ଖରା ଓ ଝାଞ୍ଜି ପବନ ଯୋଗୁଁ ଲୋକଙ୍କ ଜୀବନ ଯାତ୍ରା ଗୋଟିଏ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ସେହିପରି ଅଘୋଷିତ ବିଦ୍ୟୁତ କାଟ ଓ ପାନୀୟ ଜଳ ସମସ୍ୟା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି ।

ଖରାର ପ୍ରକୋପ ଦେଖି ଦିନ ୧୧ଟାରୁ ସହର ଶୂନସାନ ହୋଇ ଯାଉଛି । ସାଧାରଣ ଲୋକେ ମୁହଁ ଓ ମୁଣ୍ଡରେ ଗାମୁଛା ଓ ଟୋପି ପରିଧାନ କରି ଯିବା ଆସିବା କରୁଥିବା ଦେଖାଯାଉଛି । କୌଣସି ଛାଇ ସ୍ଥାନ କିମ୍ବା ଲସି, ତରଭୁଜ, ଆଖୁରସ, ଆଇସକ୍ରିମ ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ତେବେ ପ୍ରଶାସନ ଓ ସ୍ୱାସ୍ଥବିଭାଗ ମଧ୍ୟ ଖରାକୁ ନେଇ ସତର୍କ ଥିବା ସୂଚନା ଦେଇଛି । ଏହା ସହ ସ୍ଥାନୀୟ ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି ।

ପ୍ରଶାସନ ପକ୍ଷରୁ ଖରାକୁ ନେଇ ପ୍ରସ୍ତୁତ ଥିବା କଥା କହିଛନ୍ତି ଟିଟିଲାଗଡ଼ ଉପଜିଲ୍ଲାପାଳ । ଖରା ସମୟରେ ଅତି ଜରୁରୀ ନ ହେଲେ ଲୋକଙ୍କୁ ବାହାରକୁ ନ ଯିବାକୁ ସଚେତନ କରାଯାଉଛି । ପାଣି ପାଗ ବିଭାଗର ପୁର୍ବାନୁମାନ ଅନୂଯାୟୀ କାଳ ବୈଶାଖୀ ବର୍ଷା ହେବ ଜାଣିବା ପରେ ଟିକେ ଆଶ୍ୱସ୍ତ ହୋଇଛନ୍ତି କଣ୍ଟାବାଞ୍ଜି ଅଞ୍ଚଳବାସୀ ।

Also read: ଗରମରୁ ସାମାନ୍ୟ ତ୍ରାହି, ଆହୁରି ଦୁଇ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା