ରାତି ପାହିଲେ ନୂଆବର୍ଷ: ଆଜି ରାତିରୁ କାଲି ରାତି ଯାଏଁ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ରାତି ପାହିଲେ ନୂଆବର୍ଷ । ବର୍ଷର ଶେଷ ଦିନ ଓ ବର୍ଷ ଆରମ୍ଭରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସଭିଁଙ୍କ ମନରେ ପ୍ରବଳ ଉତ୍ସାହ । ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ। ଦର୍ଶନ କରିବା ପାଇଁ ଜମୁଛି ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ସମୟ ଯେତେ ବଢୁଛି, ଭିଡ଼ ବି ସେତିକି ବଢୁଛି । ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ଡିସେମ୍ବର ୩୧ ଓ ଜାନୁଆରୀ ୧ ରେ କେବଳ ସିଂହଦ୍ଵାର ପଟେ ଭକ୍ତମାନେ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି ।

ଶ୍ରଦ୍ଧାଳୁଙ୍କ ଭିଡ଼ ପାଇଁ ୩୧ତାରିଖ ରାତିରେ ମହାପ୍ରଭୁଙ୍କୁ ଅନିଦ୍ରା ରହିବାକୁ ପଡ଼ିପାରେ । ୩୧ ତାରିଖ ରାତିଠାରୁ ୧ ତାରିଖ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ଵାର ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇଛି ।  ଆଜିଠୁ ଦୁଇ ଦିନ ମାର୍କେଟ ଛକଠାରୁ ନୋ ଭେହିକିଲ୍ ଜୋନ୍ ହେବ ।  ଶାନ୍ତିଶୃଙ୍ଖଳା ନିମନ୍ତେ ମୁତୟନ ହୋଇଛନ୍ତି ୬୦ ପ୍ଲାଟୁନ ଫୋର୍ସ । ସେହିପରି ଟ୍ରାଫିକ କଣ୍ଟ୍ରୋଲ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।  ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ବ୍ଲାଙ୍କେଟ ସିକ୍ୟୁରିଟି ଏବଂ ସିସିଟିଭି କ୍ୟାମେରା ବଳୟରେ ରହିଛି ।