ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । କେନ୍ଦ୍ରରେ କୃଷି ସଚିବ ଥିବା ମନୋଜ ଆହୁଜା ଓଡ଼ିଶା ଫେରିବେ । ୧୯୯୦ ବ୍ୟାଚର ଆଇଏସ ଅଧିକାରୀ ମନୋଜ ଆହୁଜାଙ୍କୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ତାଙ୍କୁ ତାଙ୍କ ମୂଳ କ୍ୟାଡର ରାଜ୍ୟକୁ ପଠାଇବା ପାଇଁ ଆଜି ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଅନୁମୋଦନ ପ୍ରଦାନ କରିଛି ।

ରାଜ୍ୟରେ କିଏ ହେବେ ନୂଆ ମୁଖ୍ୟ ସଚିବ । ଏ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ମନୋଜ ଆହୁଜା ଓଡ଼ିଶା ଫେରୁଛନ୍ତି । ତେଣୁ ତାଙ୍କୁ ନେଇ ଚର୍ଚ୍ଚା ସ୍ବାଭାବିକ। ବର୍ତ୍ତମାନର ମୁଖ୍ୟ ସଚିବ ପ୍ରଦୀପ ଜେନା ୧୯୮୯ ବ୍ୟାଚ୍ ର ଆଇଏଏସ ଅଧିକାରୀ । ମନୋଜ ଆହୁଜା ୧୯୯୦ ବ୍ୟାଚ୍ ର ଆଇଏଏସ ଅଧିକାରୀ । ବରିଷ୍ଠତା ଭିତିରେ ପ୍ରଦୀପ ଜେନାଙ୍କ ପରେ ଅଛନ୍ତି ମନୋଜ ଆହୁଜା ।

ତେଣୁ ତାଙ୍କ କଣ ନୂଆ ଦାୟିତ୍ବ ଦିଆଯିବ ତାକୁ ନେଇ ଉତ୍କଣ୍ଠା ବଢିଛି । ମନୋଜ ଆହୁଜା ହେବେ କି ନୂଆ ମୁଖ୍ୟ ସଚିବ ।  କିଛି ମାସ ତଳେ ରାଜସ୍ଥାନରେ ଏପରି କିଛି ଦେଖିବାକୁ ମିଳିଥିଲା । କେନ୍ଦ୍ରରେ ସ୍ବାସ୍ଥ୍ୟ ସଚିବ ଥିବା ସୁଧାଂଶ ପନ୍ତ ରାଜସ୍ଥାନ ଫେରି ମୁଖ୍ୟ ସଚିବ ହୋଇଥିଲେ ।

ନୂଆ ମୁଖ୍ୟମନ୍ତ୍ରୀ ଭଜନ ଲାଲଶର୍ମାଙ୍କ ଅଧୀନରେ ସେ ମୁଖ୍ୟ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ବର୍ତ୍ତମାନ ଓଡ଼ିଶାରେ ମନୋଜ ଆହୁଜାଙ୍କୁ ନେଇ ସେପରି ଚର୍ଚ୍ଚା ହେଉଛି । ମନୋଜ ଆହୁଜା ଉଭୟ କେନ୍ଦ୍ର ଓ ରାଜ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହିଛନ୍ତି । ରାଜ୍ୟରେ ଖଣି ଓ ଇସ୍ପାତ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସଚିବ ଭାବେ କାର୍ଯ୍ୟ କରି ସାରିଛନ୍ତି । କେନ୍ଦ୍ରରେ କୃଷି ସଚିବ ଦାୟିତ୍ବ ତୁଲାଇଛନ୍ତି । ଏହାସହ ସେ ସିବିଏସଇ ଅଧ୍ୟକ୍ଷ ମଧ୍ୟ ଥିଲେ ।