କେନ୍ଦ୍ର କ୍ୟାବିନେଟରେ ୮ ନୂଆ ରେଳ ପ୍ରକଳ୍ପକୁ ମଞ୍ଜୁରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହାକୁ ମଞ୍ଜୁର ପ୍ରଦାନ କରାଯାଇଛି । ମୁଖ୍ୟତଃ ଆକାଂକ୍ଷୀ ଜିଲ୍ଲା ଓ ଆଦିବାସୀ ବହୁଳ ଅଞ୍ଚଳରେ ଏହି ରେଳ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ୪ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଗୁଣପୁର- ଥେରୁବାଲୀ ୭୩.୬୨ କିମି ନୂଆ ରେଳ ଲାଇନକୁ ମଞ୍ଜୁର କରାଯାଇଛି ।
କଳାହାଣ୍ଡି ଓ ନବରଙ୍ଗପୁର ଦେଇ ଜୁନାଗଡ଼- ନବରଙ୍ଗପୁର ୧୧୬.୨୧ କିମି ରେଳ ପଥ ଓ କେନ୍ଦଝର ମୟୂରଭଞ୍ଜ ଦେଇ ବାଦାମପାହାଡ଼-କେନ୍ଦୁଝରଗଡ଼ ୮୨.୦୬ କିମି ରେଳପଥକୁ ଅନୁମୋଦନ କରାଯାଇଛି । ସେହିପରି ବାଙ୍ଗିରୀପୋଷୀ- ଗୋରୁମହିଷାଣୀ ମଧ୍ୟରେ ୮୫.୬୦ କିମି ରେଳପଥ ମଧ୍ୟ ଅନୁମୋଦନ ଲାଭ କରିଛି । ମାଲକାନଗିରି – ପାଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ୧୭୩. ୬୧ କିମି ରେଳପଥ ମାଲକାନଗିରି, ପୂର୍ବଗୋଦାବରୀ ଓ ଭଦ୍ରାଦ୍ରୀ କୋଥାଗୁଡ଼େମ ଦେଇ ଅତିକ୍ରମ କରିବ। ଏନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।