ଗବେଷଣା କ୍ଷେତ୍ରରେ ସଂପର୍କ ହେବ ସୁଦୃଢ:ଅଷ୍ଟ୍ରେଲିଆର ଶ୍ରେଷ୍ଠ ୮ ବିଶ୍ୱବିଦ୍ୟାଳୟ ଶିକ୍ଷାବିତଙ୍କ ସହ ଆଲୋଚନା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ):ଅଷ୍ଟ୍ରେଲିଆର ଶ୍ରେଷ୍ଠ ୮ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଶିକ୍ଷାବିତଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା । ଗବେଷଣା କ୍ଷେତ୍ରରେ ଭାରତ ଓ ଅଷ୍ଟ୍ରେଲିଆ ସମ୍ପର୍କକୁ ଅଧିକ ମଜବୁତ ନେଇ ଆଲୋଚନାରେ ମତପ୍ରକାଶ ପାଇଛି । ଭାରତ ସହ ଗବେଷଣା କ୍ଷେତ୍ରରେ ସହଯୋଗକୁ ମଜବୁତ୍‌ କଲେ ସମସ୍ତଙ୍କ ପାଇଁ ଲାଭଦାୟକ ହେବ । ଉଭୟ ରାଷ୍ଟ୍ରର ପ୍ରାଥମିକତାକୁ ପୁରଣ କରିବା ଏବଂ ବୈଷିକ ଆହ୍ଵାନକୁ ସମାଧାନ କରିବା ସହ ଗବେଷଣା କ୍ଷେତ୍ରରେ ସହଯୋଗୀ ହୋଇଥିବାରୁ ଅଷ୍ଟ୍ରେଲିଆର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ମୋନାସ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରେଲିଆ ଭାରତ ଚାମ୍ବର ଅଫ୍‌ କମର୍ସ ଦ୍ୱାରା ମେଲବୋର୍ଣ୍ଣ ଠାରେ ଆୟୋଜିତ ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

ଶିକ୍ଷା, ଗବେଷଣା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଭାଗିଦାରୀ ପାଇଁ ଉଭା ହେଉଥିବା ସୁଯୋଗ ଶୀର୍ଷକ ଉପରେ ମତ ରଖିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମାଣଭିତ୍ତିକ ଗବେଷଣା ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମାନବତାର ପ୍ରଗତି, କଲ୍ୟାଣ ପାଇଁ ‘ଲ୍ୟାବ-ଟୁ-ଲ୍ୟାଣ୍ଡ’ ଏବଂ ‘ଲ୍ୟାଣ୍ଡ-ଟୁ-ଲ୍ୟାବ’ ମନ୍ତ୍ରକୁ ଭାରତ ଅନୁସରଣ କରୁଛି । ଭାରତରେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଦ୍ୱାରା କ୍ୟାମ୍ପସ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହାଦ୍ୱାରା ଉଭୟ ଭାରତ ଓ ଅଷ୍ଟ୍ରେଲିଆର ନାଗରିକମାନେ ଲାଭ ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଟେଡ୍‌ ବାଇଲ୍ଲ୍ୟ , ହରିଶ ରାଓ ଏବଂ ଅଷ୍ଟ୍ରେଲିଆ ସରକାରଙ୍କ ପ୍ରତିନିଧି ମଣ୍ଡଳି, ମୋନାସ ବିଶ୍ୱବିଦ୍ୟାଳୟର ଶିକ୍ଷାବିତ୍‌ ଏବଂ ଏଆଇସିସିର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେଲବୋର୍ଣ୍ଣ ଠାରେ ଅଷ୍ଟ୍ରେଲିଆରେ ଅଧ୍ୟୟନ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହାବ୍ୟତିତ ଭାରତରେ ଜନ୍ମିତ ଭିକ୍ଟୋରିଆ ଷ୍ଟେଟ୍‌ ପାର୍ଲ୍ୟାମେଣ୍ଟର ସଦସ୍ୟ କୌଶଲ୍ୟା ବାଘେଲା କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ପାଞ୍ଚଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.