ପଦ୍ମପୁର ଭୋଟିଂ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ସସ୍ମିତ ପାତ୍ର ମୁହାଁମୁହିଁ

କେନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ଭୋଟିଂ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ସସ୍ମିତ ପାତ୍ର ମୁହାଁମୁହିଁ। ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନ, ପଦ୍ମପୁରର କେତେ ଚାଷୀ ଓ କେଉଁ ଚାଷୀଙ୍କୁ ଇନ୍‌ପୁଟ୍‌ ସବସିଡି ଦିଆଗଲା, ଏହାର ତଥ୍ୟ ପ୍ରକାଶ ନ କରି ସୁଆଙ୍ଗ ରଚୁଛନ୍ତି ରାଜ୍ୟ ସରକାର। ସସ୍ମିତ ପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଇନ୍‌ପୁଟ୍‌ ସବସିିଡି ଘୋଷଣା କଲେ। ବିଜେପି କିନ୍ତୁ ନିର୍ବାଚନ କମିଶନଙ୍କୁ ଭେଟି ଆଚରଣବିଧି ଉଲ୍ଲଂଘନ ହେଉଥିବା କହି ଏହାକୁ ବନ୍ଦ କରିଦେଲେ। ନିର୍ବାଚନ ଯେଉଁ ଦିନ ସରିବ ଏହାର ପରଦିନ ଇନ୍‌ପୁଟ୍‌ ସବସିଡି ମିଳିବ ବୋଲି ବିଜେଡି ପ୍ରତିଶ୍ରୁତିବଦ୍ଧ। ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଚାଷୀମାନଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଫସଲ ବୀମାରୁ ବଞ୍ଚିତ କରାଗଲା। ସସ୍ମିତଙ୍କ ଜବାବ, ଓଡ଼ିଶାରେ ଚାଷୀଙ୍କୁ ପ୍ରତାରଣା କରିଛି ବିଜେପି।

କ୍ଷମତାକୁ ଆସିଲେ ଏମ୍‌ଏସ୍‌ପି ଦେଢ଼ଗୁଣା ଓ ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଦେଢ଼ଗୁଣା ଏମ୍‌ଏସ୍‌ପି ଦେଲେ କି? ଚାଷୀଙ୍କ ଆୟ ଦୁଇ ଗୁଣା ହେଲା କି? ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର। ତିନିଟି କୃଷି ବିରୋଧୀ ଆଇନ ଆଣିଥିଲେ ବିଜେପି ସରକାର। ୬୦୦ ଚାଷୀଙ୍କ ମୃତ୍ୟୁ ପରେ ବାଧ୍ୟ ହୋଇ ଆଇନ ପ୍ରତ୍ୟାହର କଲେ।

ପଦ୍ମପୁର ରେଳଲାଇନକୁ ନେଇ ମଧ୍ୟ ମୁହାଁମୁହିଁ ହୋଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ରେଳ ଲାଇନ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟର ଭୂମିକା ସମ୍ପର୍କରେ ସ୍ପଷ୍ଟ ଉତ୍ତର ଦେଇଛନ୍ତି। ପ୍ରସଙ୍ଗ ନଥିବାରୁ ଏ ସବୁକୁ ପ୍ରସଙ୍ଗ କରାଯାଉଛି। ସସ୍ମିତଙ୍କ ଜବାବ, ୨୦୧୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର ରେଳ ଲାଇନ୍‌କୁ ଅନୁମୋଦନ ମିଳିଥିବା ଘୋଷଣା କରିଥିଲେ। ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ପଦ୍ମପୁର ରେଳ ଲାଇନ୍‌କୁ ମିଳି ନାହିଁ। ଏହା ପଦ୍ମପୁରବାସୀଙ୍କ ପ୍ରତି ପ୍ରତାରଣା ନୁହଁ କି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି।