ଭୁବନେଶ୍ୱର : ପରଲୋକରେ ଜୁଏଲଙ୍କ ପତ୍ନୀ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଦେହାନ୍ତ ହୋଇଛି । ଶନିବାର ରାତି ୧୦ଟା ୫୦ ମିନିଟରେ ଝିଙ୍ଗିଆଙ୍କ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଡେଙ୍ଗୁରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ । ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ସମାଜସେବୀ ଓ ପରୋପକାରୀ ମହିଳା ଭାବେ ସେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ ।
ଝିଙ୍ଗିଆ ଓରାମଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଜୁଏଲଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପହଞ୍ଚି ସ୍ବର୍ଗତ ଝିଙ୍ଗିଆ ଓରାମଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବାଚସ୍ପତିଙ୍କ ସହ ମନ୍ତ୍ରିମଣ୍ଡଳ ସଦସ୍ୟ ବି ଶେଷ ଦର୍ଶନ କରିଛନ୍ତି।
୧୯୮୭ ମସିହା ମାର୍ଚ୍ଚ ୮ରେ ଜୁଏଲଙ୍କୁ ଝିଙ୍ଗିଆ ବିବାହ କରିଥିଲେ। ଉଭୟ ଦୁଇ ଝିଅର ଅଭିଭାବକ। ଶେଷ ଖବର ସୁଦ୍ଧା ଝିଙ୍ଗିଆଙ୍କର ଅନ୍ତିମ ସଂସ୍କାର ସୋମବାର ତାଙ୍କ ଜନ୍ମମାଟି କେନ୍ଦୁଡିହିରେ ହେବ ବୋଲି ଜଣାପଡ଼ିଛି। ଜୁଏଲଙ୍କ ଓରାମ ହେଉଛନ୍ତି ସୁନ୍ଦରଗଡର ସାଂସଦ। ହ୍ୟାଟ୍ରିକ ସାଂସଦ ହେବା ସହ ମୋଦି ସରକାରରେ ଆଦିବାସୀ ବିଭାଗର ଦୁଇ ଥର ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ସେ ବାଜପେୟୀ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ।