ଗଡ଼ିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତାକା ଦେଖାଇ କଲେ ଶୁଭାରମ୍ଭ 

କେନ୍ୟୁଜ୍(ବ୍ୟୁରୋ):ଗଡ଼ିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ। ନୂଆଦିଲ୍ଲୀ ସଫଦରଗଞ୍ଜ ରେଳ ଷ୍ଟେସନରୁ ଆରମ୍ଭ ହୋଇଛି ଆଇଆରସିଟିସିର ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ ଯାତ୍ରା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଭାରତର କଳା, ଐତିହ୍ୟ, ଓଡ଼ିଆ ସଂସ୍କୃତିକୁ ବିିଭିନ୍ନ ସ୍ଥାନରେ ପହଞ୍ଚାଇବ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ।

ଏହି ଟ୍ରେନ୍‌ ଉତ୍ତର ପ୍ରଦେଶର ବାରାଣସୀ, ବିହାରର ଗୟା, ଝାଡ଼ଖଣ୍ଡର ଦେଓଘର ଦେଇ ପୁରୀରେ ପହଞ୍ଚିବ। ଟ୍ରେନର ଶୁଭାରମ୍ଭ କରି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡିଆ ଭାଷାକୁ ମହାପ୍ରଭୁ ଜଗନ୍ନାଥ ଗଢିଛନ୍ତି। ଲୋକମାନେ ମହାପ୍ରଭୁଙ୍କ ପାଖକୁ ଯାଆନ୍ତୁ, ଜଗନ୍ନାଥଙ୍କ ଦର୍ଶନ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶର ସାଧାରଣ ଲୋକ କମ ଟଙ୍କାରେ ଉଚ୍ଚକୋଟୀର ଯାତ୍ରା ସହ ତୀର୍ଥସ୍ଥଳ ପରିଦର୍ଶନ କରିବାର ସୁଯୋଗ ପାଇପାରିବେ ବୋଲି ସେ କହିଛନ୍ତି।

ଆଠଦିନିଆ ଯାତ୍ରା କାଳରେ ବାରଣାସୀ, ବୈଦ୍ୟନାଥ ଧାମ, ଗୟା ସହ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ଯାତ୍ରୀ। ଟ୍ରେନ ଯାତ୍ରାର ପ୍ରଥମ ରହଣି ବାରାଣସୀ ସହର। ପର୍ଯ୍ୟଟକମାନେ ସେଠାରେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାଘାଟ ଓ ଆରତି ସ୍ଥଳ ଆଦି ପରିଦର୍ଶନ କରିପାରିବେ। ପରେ ଟ୍ରେନ ଝାଡ଼ଖଣ୍ଡ ହୋଇ ପୁରୀ ଆସିବ। ପୁରୀରେ ପର୍ଯ୍ୟଟକଙ୍କ ପାଇଁ ଦୁଇ ରାତି ରହିବାର ବ୍ୟବସ୍ଥା ହୋଇଛି। ପୁରୀରେ ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣ ବେଳାଭୂମି, କୋଣାର୍କର ସୂର୍ଯ୍ୟମନ୍ଦିର ଓ ମନ୍ଦିରମାଳିନୀ ସହର ଭୁବନେଶ୍ୱରର ମନ୍ଦିର ଦର୍ଶନ କରିବେ। ପୁରୀ ପରେ ଗୟା ହେବ ଟ୍ରେନର ଶେଷ ଗନ୍ତବ୍ୟସ୍ଥଳ। ଫେବ୍ରୁଆରି ପହିଲାରେ ଦିଲ୍ଲୀରେ ପହଞ୍ଚିବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ।…

ଜଗନ୍ନାଥ ସର୍କିଟ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ନେଇ ରେଳମନ୍ତ୍ରୀ ଗତବର୍ଷ ନଭେମ୍ବର ମାସରେ ଭୁବନେଶ୍ଵରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ। ଆଧୁନିକ ଶୈଳୀର ଶୀତତାପ ନିୟନ୍ତ୍ରିତ ରହିଛି ଏହି ପର୍ଯ୍ୟଟକ ଟ୍ରେନ। ଶ୍ରୀ ଜଗନ୍ନାଥ ଏକ୍ସପ୍ରେସରେ ଏକକାଳୀନ ପାଞ୍ଚଶହରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ ଯାତ୍ରା କରିଛନ୍ତି। ଯାତ୍ରୀଙ୍କ ସୁରକ୍ଷା ପାଇଁ ଆଇଆରସିଟି ଖାଦ୍ୟପାନୀୟ ଓ ବୀମାର କରିଛି।…