ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦

ଭୁବନେଶ୍ବର: ବିଧାନସଭାରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦। ଉଭୟ କଂଗ୍ରେସ ଓ ବିଜେପି ଏହାକୁ ପ୍ରଥମରୁ ବିରୋଧ କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଏହା ଏକ କଳା ବିଲ୍‌ । ୪ ଦିନ ଧରି ବିଧାନସଭାରେ ହେଉଥିଲା ଆଲୋଚନା । ଆଜି ଆଲୋଚନାରେ ବିଜେପି ସଦସ୍ୟମାନେ ଭାଗ ନେଇନଥିଲେ । ଗୃହର ମଧ୍ୟ ଭାଗରେ ଧାରଣାରେ ବସିଥିଲେ ବିଜେପି ସଦସ୍ୟ ।

ବିଲ୍ ଆଲୋଚନା ବେଳେ ମନ୍ତ୍ରୀ କହିଥିଲେ କେନ୍ଦ୍ର ଆଇନ ଓ ରାଜ୍ୟ ଆଇନ ଭିତରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଅନ୍ୟ ରାଜ୍ୟ ଗୁଜୁରାଟ, ପଞ୍ଜାବ, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରେ କୁଳପତି ଚୟନରେ ଯେଉଁ ବ୍ୟବସ୍ଥା ରହିଛି, ଆମ ରାଜ୍ୟରେ ଭିନ୍ନ । ସେସବୁ ରାଜ୍ୟ କୁଳପତି ଚୟନରେ ସରକାର ହସ୍ତକ୍ଷେପ କରୁଛନ୍ତି । କିନ୍ତୁ ଓଡ଼ିଶାରେ ନିରପେକ୍ଷତା, ସ୍ୱଚ୍ଛତା ଭିତ୍ତିରେ କୁଳପତି ଚୟନ ହୋଇଥାଏ । ରାଜ୍ୟପାଳ ନିଯୁକ୍ତି କରନ୍ତି । ଅଟୋନୋମି ନଷ୍ଟ ହେଉନାହିଁ । ଭିସିଙ୍କ କାର୍ଯ୍ୟକାଳ ୩ ବର୍ଷ ବଦଳରେ ୪ ବର୍ଷ କରାଯାଇଛି । UGC କେବଳ ଅଧ୍ୟାପକଙ୍କ ନିଯୁକ୍ତି ନେଇ ଷ୍ଟାଣ୍ଡାର୍ଡ ଫିକ୍ସ କରିଥାଏ । ନିଯୁକ୍ତି ପ୍ରକ୍ରିୟା ରାଜ୍ୟରେ ସ୍ଥିର ହୋଇଥାଏ ।

ରାଜ୍ୟପାଳ ନଭେମ୍ବର ୨୦୧୮ରେ ଅଧ୍ୟାପକ ନିଯୁକ୍ତି OPSC ମାଧ୍ୟମରେ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେହି ଅନୁସାରେ ରାଜ୍ୟ ସରକାର ବିଲ୍‌ରେ ବ୍ୟବସ୍ଥା କରିଛନ୍ତି । ସିନେଟ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ସିଣ୍ଡିକେଟ ବ୍ୟବସ୍ଥାକୁ ଅଧିକ ମଜଭୁତ କରାଯାଇଛି । ଜାତୀୟ ଶିକ୍ଷା ନୀତିକୁ ଅଧିକ ତର୍ଜମା କରିବା ପାଇଁ କମିଟି ଗଠନ କରାଯାଇଛି ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.