ପୁରୀ ସମୁଦ୍ର କୂଳରେ ଲାଗିଲା ଅଜଣା କଣ୍ଟେନର, କେଉଁଠୁ ଆସିଲା ତାକୁ ନେଇ ଲାଗିରହିଛି ଚର୍ଚ୍ଚା

ପୁରୀ: ପୁରୀ ସମୁଦ୍ର କୂଳରେ ଲାଗିଲା ଭାସୁଥିବା କଣ୍ଟେନର । ସମୁଦ୍ର ମଝିରେ ଗୋଟିଏ କଣ୍ଟେନର ଗତକାଲିଠୁ ଭାସୁଥିଲା । ଉଚ୍ଚ ଲହଡି ମାଡ଼ରେ ଆଜି କଣ୍ଟେନରଟି କୂଳକୁ ଚାଲି ଆସିଛି । ଅଜଣା କଣ୍ଟେନରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛନ୍ତି ।
ସୂଚନା ଅନୁସାରେ ଗତକାଲି ସକାଳୁ ପେଣ୍ଠକଟା ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଉଥିବା ସମୟରେ ଏହି ଅଜଣା କଣ୍ଟେନର ଭାସୁଥିବାର ଦେଖିବାକୁ ପାଇଥିଲେ । କୂଳକୁ ଆଣିବା ପାଇଁ ଚେଷ୍ଟା କରିବା ସତ୍ୱେ କଣ୍ଟେନରଟି ଅଧିକ ଓଜନ ଥିବାରୁ କୂଳକୁ ଆଣିପାରି ନଥିଲେ । ବିଳମ୍ବିତ ରାତିରେ ଉଚ୍ଚ ଲହଡି ମାଡ଼ରେ କଣ୍ଟେନରଟି କୂଳରେ ଲାଗିଥିବା କୁହାଯାଉଛି । ତେବେ ଏହି କଣ୍ଟେନର ଭିତରେ କ’ଣ ରହିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁରୀ ଏସପି କହିଛନ୍ତି ।