ଦେବଗଡ଼ : ଗାଁ ଜଙ୍ଗଲରୁ ମିଳିଲା ତିନିଟି ଅଚିହ୍ନା ମୃତଦେହ, ହତ୍ୟା ସନ୍ଦେହରେ ପୋଲିସ୍‌ କରୁଛି ତଦନ୍ତ

ଦେବଗଡ଼ (କେନ୍ୟୁଜ୍‌) : ବାରକୋଟ ଥାନା ଅନ୍ତର୍ଗତ ବାଲିରୋଇ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ପୁଲିସ ୩ ଟି ଅର୍ଦ୍ଧ ଗଳିତ ମୃତ ଦେହ ଉଦ୍ଧାର କରିଛି । ତେବେ ମୃତକଙ୍କ ପରିଚୟ ମିଳି ନଥିବା ବେଳେ ପ୍ରାଥମିକ ତଦନ୍ତର ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ବାଲିରୋଇ ଗ୍ରାମର ଜଙ୍ଗଲ ନିକଟସ୍ଥ ରାସ୍ତା କଡରେ ଜଣେ ମହିଳାଙ୍କ ଅର୍ଦ୍ଧ ଗଳିତ ମୃତ ଦେହ ଅଧା ପୋତା ଅବସ୍ଥାରେ ଦେଖି ଗ୍ରାମବାସୀ ବାରକୋଟ ଥାନାକୁ ଗତକାଲି ସୂଚନା ଦେଇଥିଲେ । ଆଜି ପୋଲିସ୍‌ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳକୁ ଯାଇ ମୃତ ଦେହ ଉଦ୍ଧାର କରିଥିଲା ।

ମହିଳାଙ୍କ ଶରୀରର ଉପର ଭାଗର କୈାଣସି ସନ୍ଧାନ ପାଇ ନଥିବା ବେଳେ ଅଂଟାରୁ ତଳ ଭାଗ ଅଂଶ ମିଳିଥିଲା । ପରେ ମହିଳାଙ୍କୁ ପୋତାଯାଇଥିବା ସ୍ଥାନକୁ ଅଧିକ ଖୋଳିବା ପରେ ସେଠାରୁ ୨ ଶିଶୁଙ୍କ ମୃତ ଦେହ ମିଳିଥିଲା । ମୃତ ଶିଶୁଙ୍କ ନିକଟରୁ ଫ୍ରକ ଉଦ୍ଧାର ହୋଇଥିବାରୁ ସେମାନେ ଶିଶୁ କନ୍ୟା ବୋଲି ସନ୍ଦେହ କରାଯାଉଛି । ସେହିପରି ମହିଳାଙ୍କ ମୃତଦେହ ନିକଟରୁ ଏକ କମଳା ରଙ୍ଗର ଶାଢୀ ଜବତ କରିଛି ପୋଲିସ୍‌ । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଜବତ ମୃତଦେହର ଅଂଶକୁ ସାଇଣ୍ଟିଫିକ ଟିମ ଫରେନସିକ ଲାବକୁ ପଠାଇ ଛନ୍ତି ।

ତେବେ ଏହି ସମ୍ବେଦନଶୀଳ ଘଟଣା ଏବେ ସାରା ଦେବଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ନିକାଞ୍ଚନ ଜାଗାରେ ମହିଳାଙ୍କୁ ଓ ଦୁଇ ଶିଶୁଙ୍କୁ ମାରି ପୋତିବା ଏବଂ ମହିଳାଙ୍କ ଅଧା ଶରୀର ଗାଏବ ହେବା ଘଟଣା ରହସ୍ୟ ପରେ ରହସ୍ୟ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.