ମାଲକାନଗିରି: ହଳଦୀକୁଣ୍ଡ ଗାଁରେ ଅଜଣା ରୋଗ ଆତଙ୍କ, ୧୦ ଦିନରେ ଗଲାଣି ୬ ଜୀବନ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ହଳଦୀକୁଣ୍ଡ ଗାଁରେ ଅଜଣା ରୋଗ ଆତଙ୍କ । ୧୦ ଦିନରେ ଗଲାଣି ୬ ଜୀବନ । ୧୦ରୁ ଅଧିକ ଲୋକ ଆକ୍ରାନ୍ତ । ମୃତକଙ୍କ ମଧ୍ୟରେ ୫ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଗୋଡ ଫୁଲି ଯାଉଛି । ପରେ ଜ୍ୱର ଆସୁଛି । ଅଜଣା ରୋଗରେ ଗୋଟିଏ ପଟେ ଜୀବନ ଯାଉଥିବା ବେଳେ ଲୋକେ କିନ୍ତୁ ଡାକ୍ତରଖାନା ଯାଉନାହାନ୍ତି । ଗୁଣିଗାରେଡି ଓ ଝଡାଫୁଙ୍କା ଉପରେ ଭରସା କରୁଛନ୍ତି ।

ଖବର ପାଇ ଗାଁରେ ଏକ ଡାକ୍ତରୀ ଟିମ୍‌ ପହଞ୍ଚି ଲୋକଙ୍କ ଚିକିତ୍ସା ଆରମ୍ଭ କରିଥିବା ବେଳେ ଲୋକେ ଡାକ୍ତରଙ୍କ ସେବା ନେବାକୁ ମନା କରିଦେଉଛନ୍ତି । ଅନ୍ୟପଟେ ଗାଁ ଲୋକଙ୍କ ଠାରୁ ବେଆଇନ୍‌ ଟଙ୍କା ନେଇ ମନଇଛା ଚିକିତ୍ସା ଚଳାଇଥିବା ଜଣେ ନକଲି କ୍ୱାକ୍‌କୁ ଗିରଫ କରିଛି ପୋଲିସ୍‌ । ଗିରଫ ଅଭିଯୁକ୍ତ ହେଲେ ସାଲିମି ଗାଁର ନରେନ୍ଦ୍ର ମାଦ୍ରୀ । ମାଥିଲି ଥାନାରେ ମାମଲା ରୁଜୁ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଗତ ମାସରେ ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ଅଜଣା ରୋଗରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଏହି ଅଜଣା ରୋଗ ମାଥିଲି ଅଞ୍ଚଳକୁ ବ୍ୟାପିଛି। ତେବେ ଏଠାକାର ଲୋକେ କେଉଁ ପାଣି ପିଉଛନ୍ତି ଓ କଣ ଖାଦ୍ୟ ଖାଉଛନ୍ତି ତାହା ଉପରେ ଡାକ୍ତରୀଦଳ ତଦନ୍ତ କରୁଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.