ରାଜ୍ୟ ସରକାରଙ୍କ ଅନ୍‌ଲକ୍‌-୩ ଗାଇଡ୍ ଲାଇନ୍‌, ସାବଧାନ ହୋଇ ଯାଆନ୍ତୁ ବଢ଼ିଲା ଫାଇନ୍‌ର ପରିମାଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ଚାରିଟି ଜିଲ୍ଲା ଏବଂ ଗୋଟିଏ ପୌରାଞ୍ଚଳରେ ସରୁଛି ଲକ୍‌ଡାଉନ୍ ଅବଧି । କାଲିଠାରୁ ଆରମ୍ଭ ହେବ ଅନ୍‌ଲକ୍‌-୩ । ଆଜି ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଓଡ଼ିଶାରୁ ହଟିଲା ନାହିଁ ରାତ୍ରୀ କାଳୀନ କର୍ଫ୍ୟୁ । କେନ୍ଦ୍ର ସରକାର ଏହାକୁ ହଟାଇଥିଲେ ମଧ୍ୟ ରାଜ୍ୟ ସରକାର ପୂର୍ବ ପରି ରାତି ୯ଟାରୁ ୫ଟା ଯାଏ ରାତ୍ରୀ କର୍ଫ୍ୟୁକୁ ବଳବତ୍ତର ରଖିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଭଳି ଅଗଷ୍ଟ ୫ ତାରିଖରୁ ସର୍ତ୍ତମୂଳକ ଭାବେ ଜିମ୍ ଓ ଯୋଗ ସେଣ୍ଟର ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି ।

ଏଥିରେ କୋଭିଡ୍ ମୁକାବିଲା ପାଇଁ ନିୟମଗୁଡ଼ିକ ଅଧିକ କଡ଼ାକଡ଼ି କରାଯାଇଛି । ଅର୍ଥନୀତିର ଅଭିବୃଦ୍ଧି ଦୃଷ୍ଟିରୁ ବିଭିନ୍ନ ସଂସ୍ଥା ଆଦି ଖୋଲିବା ଉପରେ ଗୁରୁତ୍ୱ ଦିଆଯାଇଛି । ଆସନ୍ତୁ ନଜର ପକାଇବା ଏହି ସବୁ ନିୟମ ଉପରେ । ଯାହା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଜାରି କରାଯାଇଛି ।

  • ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଆଦୌ ନପିନ୍ଧିଲେ କିମ୍ବା ଭଲ ଭାବେ ପ୍ରଥମ ଦୁଇଟି ଅପରାଧ ପାଇଁ ହଜାରେ ଏବଂ ପରବର୍ତ୍ତୀ ପାଇଁ ୫ ହଜାର ଟଙ୍କା ଫାଇନ୍ ରହିବ ।
  • ବାହାଘରରେ ୫୦ରୁ ଅଧିକ ଲୋକ ଥିଲେ ୧୦ ହଜାର ଟଙ୍କା ଫାଇନ୍ । ପରିସ୍ଥିତି ଦେଖି ଅଧିକ ବି ହୋଇ ପାରେ ଏବଂ ମଣ୍ଡପକୁ ସିଲ୍ କରାଯିବ ।
  • ସର୍ବସାଧାରଣ ଜାଗାରେ ୧୦ ଜଣରୁ ଅଧିକ ଜମା ହୋଇଥିଲେ ୧୦ ହଜାର ଟଙ୍କା ଅର୍ଥଦଣ୍ଡ । ଆୟୋଜନ କରିଥିବା ଲୋକ ଏହି ଦଣ୍ଡ ପାଇବେ ।
  • ସାମାଜିକ ଦୂରତା ନମାନିଲେ ଦୋକାନୀ ଏବଂ ସଂସ୍ଥାଙ୍କୁ ୧୦ ହଜାର ଫାଇନ୍ ଏବଂ ସପ୍ତାହେ ସିଲ୍ କରାଯିବ । ଦ୍ୱିତୀୟଥର କଲେ ୫୦ ହଜାର ଫାଇନ୍ ।
  • କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପୂର୍ବ ପରି କଡ଼ାକଡ଼ି ଭାବେ କୋଭିଡ୍ ନିୟମ ପାଳନ କରାଯିବ ।
  • ଧାର୍ମିକ ଅନୁଷ୍ଠାନ ପୂର୍ବ ପରି ବନ୍ଦ ରହିବ ଏବଂ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ ।
  • ଆନ୍ତର୍ଜାତିକ ବିମାନ ଚଳାଚଳ ବନ୍ଦ ରହିବ ।
  • ପୂର୍ବ ପରି ସିନେମା ହଲ୍‌, ସୁଇମିଂ ପୁଲ୍‌, ପାର୍କ ଆଦି ବନ୍ଦ ରହିବ ।
  • ରାଜନୈତିକ ଏବଂ ଅନ୍ୟ କୌଣସି କାର୍ଯ୍ୟକ୍ରମରେ କଟକଣା ରହିବ ।
  • ଯୋଗ ସେଣ୍ଟର ଏବଂ ଜିମ୍ ସର୍ତ୍ତମୂଳକ ଭାବେ ଅଗଷ୍ଟ ୫ ତାରିଖରୁ ଖୋଲାଯିବ ।
  • ରାତ୍ରୀ କାଳୀନ କର୍ଫ୍ୟୁ ପୂର୍ବ ପରି ଜାରି ରହିବ । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ରହିବ ।

ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଗଜପତି ଜିଲ୍ଲା ଏବଂ ରାଉରକେଲା ପୌରାଞ୍ଚଳରେ ଶନି ଓ ରବିବାର ସଟ୍‌ଡାଉନ୍‌

ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଗଜପତି ଜିଲ୍ଲା ଏବଂ ରାଉରକେଲା ପୌରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍ ଲାଗୁ । ଶନିବାର ଓ ରବିବାର ଏହି ସଟ୍ ଡାଉନ୍ କରାଯିବ । କେବଳ ଅଗଷ୍ଟ ୧ ଓ ୨ ତାରିଖରେ ସକାଳ ୫ଟାରୁ ଦିନ ଗୋଟାଏ ସବୁ କିଛି ଖୋଲା ରହିବା ପରେ ଦିନ ଗୋଟାଏରୁ ସଟ୍‌ଡାଉନ୍ ଲାଗୁ ହେବ । ତେବେ ପରବର୍ତ୍ତୀ ଶନି ଓ ରବିବାର ୮ ଓ ୯, ୧୫ ଓ ୧୬, ୨୨ ଓ ୨୩ ଏବଂ ୨୯ ଓ ୩୦ ତାରିଖରେ ଏହି ସବୁ ସ୍ଥାନରେ ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ରହିବ । ରାଜ୍ୟର ଅନ୍ୟ ସବୁ ଜିଲ୍ଲାରେ କେବଳ ରାତି ୯ରୁ ସକାଳ ୫ଟା ଯାଏ ରାତ୍ରୀ କର୍ଫ୍ୟୁ ଲାଗୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.