ବାପା କହୁଛନ୍ତି ମୋ ଝିଅକୁ କରାଯାଇଛି ‘ହତ୍ୟା’, ସ୍ୱାମୀ କହୁଛି ମୋ ସ୍ତ୍ରୀ କରିଛି ‘ଆତ୍ମହତ୍ୟା’; ହେଲେ କେଉଁଟା ସତ

କେନ୍ଦୁଝର (କେନ୍ୟୁଜ୍‌) : ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ। ମହିଳାଙ୍କ ସ୍ବାମୀ କହିଲେ, ସେ ଆତ୍ମହତ୍ୟା କରିଛନ୍ତି। ସେପଟେ ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ ଆଣୁଛନ୍ତି ହତ୍ୟାର। ଯୋଡା ପୌରାଞ୍ଚଳର ୩ ନମ୍ବର ଓ୍ବାର୍ଡ ଆଜାଦବସ୍ତି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ଅଭିଷେକ ଶର୍ମାଙ୍କ ଧର୍ମପତ୍ନୀ ସୀମଲ ଶର୍ମା। ଯୁକ୍ତ ୨ର ଛାତ୍ରୀ ସୀମଲ ଗତକାଲି ଅନଲାଇନ୍ କ୍ଲାସ୍ ଶେଷ କରିବା ପରେ ନିଜ ଓଢ଼ଣୀ ସାହାଯ୍ୟରେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ବାମୀ କହିଛନ୍ତି।

ତେବେ ଘଟଣା ସଂପର୍କରେ ଜାଣିବା ପରେ ସ୍ବାମୀ ଅଭିଷେକ ଯୋଡା ଥାନାକୁ ଖବର ଦେଇଥିଲେ। ଏହାପରେ ଅଭିଷେକ ନିଜ ପରିବାର ଏବଂ ଶ୍ୱଶୁର ଘର ଲୋକଙ୍କୁ ଖବର ଦେଲେ। ତେବେ ସ୍ତ୍ରୀ କାହିଁକି ଆତ୍ମହତ୍ୟା କରିଛନ୍ତି, ସେ ସଂପର୍କରେ ସ୍ବାମୀ ଅଭିଷେକ ଜାଣିନଥିବା କହିଛନ୍ତି। ସେପଟେ ଘଟଣାର ଖବର ପାଇ ସୀମଲଙ୍କ ପରିବାର ଲୋକେ ଯୋଡ଼ା ପହଁଚି ଏହା ଆତ୍ମହତ୍ୟା ନୂହେଁ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି।

ଏହାକୁ ନେଇ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ। ଅଭିଯୋଗ ଅନୁଯାୟୀ, ଗତ ବର୍ଷ ସପ୍ଟେମ୍ବର ମାସରେ ଅଭିଷେକ ସୀମଲଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ଅନ୍ୟ ଏକ ଝିଅ ସହ ଅଭିଷେକଙ୍କ ସଂପର୍କ ଥିବା ସନ୍ଦେହ କରୁଥିଲେ ସ୍ତ୍ରୀ ସୀମଲ। ଯାହାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ସଂପର୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ତେବେ ସୀମଲ ଆତ୍ମହତ୍ୟା କରି ନାହିଁ ବରଂ ସ୍ବାମୀଙ୍କ ସମେତ ଶାଶୁଘର ଲୋକେ ମିଳିମିଶି ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହାକୁ ନେଇ ତଦନ୍ତ ଜାରି ରହିଥିବା ସୂଚନା ରହିଛି।

Leave A Reply

Your email address will not be published.