ଚାଷୀଙ୍କ ମନରେ ଦୁଃଖ ଦେଇଛି ଅଦିନିଆ ବର୍ଷା, ପରିବାର କେମିତି ଚଳାଇବେ ସେନେଇ ଘାରିଛି ଚିନ୍ତା

ପୁଷ ମାସର ଅଦିନିଆ ବର୍ଷା ଦେଇଛି ଚାଷୀଙ୍କ ମନରେ ଦୁଃଖ । ଆଉ କେଇଟା ଦିନରେ ଚାଷୀ କଟା ଧାନକୁ ଖଳାକୁ ଆଣି  ଅମଳ କରିଥାନ୍ତା । କିନ୍ତୁ ଅଦିନିଆ ବର୍ଷା ଚାଷୀର ବର୍ଷକର ଭାତ ହାଣ୍ଡିକୁ ଉଜାଡି ଦେଇଛି । ପୁଷ ମାସରେ ଲଗାଣ ବର୍ଷା ହେଲେ ଚାଷୀଙ୍କ କ୍ଷେତରେ ଥିବା ଫସଲକୁ କ୍ଷତି ପହଞ୍ଚେ । ଆଜି ଏହି ଲୋକ କଥାଟି ସତ୍ୟ ପ୍ରମାଣିତ ହୋଇଛି । ଚଳିତ ମାସର ଲଗାଣ ଲଘୁଚାପ ବର୍ଷା ପ୍ରଭାବରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ କାକଟପୁର ବ୍ଲକର ହଜାର ହଜାର ଚାଷୀଙ୍କ ଧାନ ଓ ପରିବା ଚାଷକୁ ପୁରା ନଷ୍ଟ କରି ଦେଇଛି । ଏହି ଦୁଇ ବ୍ଲକରେ ପ୍ରାୟ ଷାଠିଏ ଭାଗ ଜମିରେ କେଉଁଠି ଧାନ ବନ୍ଧା ହୋଇ ଜମିରେ ପଡିଛି ତ ଆଉ କେଉଁ ଜମିରେ ଧାନ କଟା ନ ହୋଇ ପଡ଼ିରହିଛି । ଚାଷୀଙ୍କ କଟା ଧାନରେ ପାଣି ପଶିଯାଇଛି । ଚାଷୀ ପାଣିରୁ କଟା ଧାନକୁ ଉପରକୁ ଶୁଖାଇବାକୁ ଆଣିଲା ବେଳେ ତାହାସବୁ ଗଜi ହୋଇଗଲାଣି । ଯାହାକୁ ଦେଖିବା ପରେ ଚାଷୀଙ୍କ ହୋସ ଉଡ଼ିଗଲାଣି । କେମିତି ପରିବାର ପେଟକୁ ବର୍ଷକର ଆହାର ଦେବେ ସେ ଚିନ୍ତାରେ ଚାଷୀଙ୍କ ଆଖିରୁ ନିଦ ହଜିଗଲାଣି ।

କେବଳ ଯେ ଧାନ ତା ନୁହେଁ କୋବି ଟମାଟୋ, ଝୁଡଙ୍ଗ, କଲରା, ବିମ୍ସ ଓ ଲଙ୍କା  ସହ ରବି ଋତୁର କୋଳଥ, ମୁଗ, ବିରି, ସୋରିଷ, ଚିନାବାଦାମ ସହ ଆଳୁ ଫସଲକୁ ବ୍ୟାପକ କ୍ଷତି ପହଁଞ୍ଚାଇଛି ଏହି ଲଗାଣ ବର୍ଷା । ହଜାର ହଜାର ଟଙ୍କା ଖର୍ଚ୍ଚ କରି ବ୍ୟାଙ୍କରୁ ଋଣ ଆଣି ଚାଷୀ ଧାନ ସହ ପରିବା ଚାଷ କରିଥିଲା । ଠିକ ଅମଳ ହେଲା ବେଳକୁ ପୁଷ ମାସର ବର୍ଷା ଚାଷୀଙ୍କ ପେଟକୁ ମାଡ଼ ଦେଇଛି । ଏବେ ପରିବାର କେମିତି ଚଳାଇବେ ସେନେଇ ଅବଶିଷ୍ଟ ଚାଷକୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି ଚାଷୀ ।

ଚାଷ ଜମିରେ ଯାହା ସବୁ ଫସଲ ଅଛି ତାକୁ ବଞ୍ଚାଇବାକୁ ଚାଷୀ ଚାଷ ଜମିରେ ଜଗି ବସିଛି । କିନ୍ତୁ ଲଘୁଚାପ ବର୍ଷା ଛାଡ଼ିବାର ନାଁ ନେଉନି । ଯାହା ଚାଷୀଙ୍କ ସମସ୍ୟାକୁ ବଢାଇଦେଇଛି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କିପରି ଚାଷୀଙ୍କ କ୍ଷୟକ୍ଷତିକୁ ଆକଳନ କରି ସହାୟତା ଦେଉଛନ୍ତି ତାହା ଉପରେ ସବୁ ଚାଷୀଙ୍କ ନଜର ।